(ତାରିଣୀ ଚରଣ ପାତ୍ର— ରାଗ ରାଗବତୀ, ତାଳ ଯତି)
ଆହା କିଶୋର କିଶୋରୀ ରୂପ ମାଧୁରୀ
ମନ ପ୍ରାଣ ନିଏ ହରି । ଘୋଷା ।
ଘନ କୋଳେ ବିଜୁଳି ସତେ ଖେଳିଲା ଭଳି
ଦିଶେ ଅପୂର୍ବ ଶୋଭା ଭୁବନ ମନୋହାରୀ
(ପଡ଼ି)
ନବୀନ ବସନ୍ତ ଆହା ମୂର୍ତ୍ତିମନ୍ତ
ବାସ୍ତବ ଯେମନ୍ତ ହେଲା ଆବିର୍ଭୂତ
ବର୍ଣ୍ଣି ନୁହେ ନିଧୁ ବନର ବୈଚିତ୍ର୍ୟ
ବିପଣି ବାଢ଼ିଛି କି ପ୍ରକୃତି ସୁନ୍ଦରୀ । ୧ ।
ଆହା ସେ ବୃନ୍ଦାବନର କୁଞ୍ଜମଞ୍ଜୁଳ
ପୂରିତ ତରୁ ବଲ୍ଲରୀ ।
ନିଭୃତ ରାସସ୍ଥଳ ରାଧା କୃଷ୍ଣ ଯୁଗଳ
ଆହା ସେ ଅପ୍ରାକୃତ ପ୍ରେମାନନ୍ଦ ଲହରୀ
(ପଡ଼ି)
ଯମୁନା ନଳିନ ବନର ପବନ
ମଞ୍ଜୁ କାନନର ମଧୁପ ଗୁଞ୍ଜନ
ଜାଈ ଜୂଈ ମଲ୍ଲୀ ମୃଦୁଳ ଶୟନ
ରାଈ କୋଳେ ବିଜେ ନିଜେ ବେଣୁଧାରୀ । ୨ ।
ଗୁଣୁ ଗୁଣୁ ଗୁଣୁ ସ୍ୱରେ ଭ୍ରମରପୁଞ୍ଜ
ଗୁଞ୍ଜନ୍ତି ଉଚ୍ଚେ ଝଙ୍କାରି ।
ନାଚିଲେ ସଖୀକୁଳ ପ୍ରେମେ ହୋଇ ବିହ୍ୱଳ
ଗାଇ ମଙ୍ଗଳଗୀତ ବିବିଧ ଛନ୍ଦ ଭରି
(ପଡ଼ି)
ବିଲୋକି ସେ ବିଭା କାହା ମନ ଲୋଭା
ନୋହିବ ଗୋ କହ ଗାନ ନୃତ୍ୟ ଶୋଭା
ଆଳିକୁଳ ମିଳି ଦେଲେ ହୁଳହୁଳି
ସୁରେ ଗଲା ଥରି । ୩ ।
ଚିନ୍ମୟ ଚିଦ୍ଘନ ରସମୟ ଶ୍ରୀକୃଷ୍ଣ
ରାଧା ଆହ୍ଲାଦ ବଲ୍ଲରୀ ।
କୋଟି ଜନ୍ମର ପାପ ହୋଇଗଲା ନିର୍ବାପ
ଦେଖି ପ୍ରଣବ ରୂପ ଜୀବ ପରମ ପରି
(ପଡ଼ି)
ଶ୍ୟାମଳ ଗଉର ଜ୍ୟୋତି ମନୋହର
ମିଳିଲା ଯେପରି ହୋଇ ଏକାକାର
ଦେଖି ଦରଶକ ହାରିଲେ ବିବେକ
ଦିବସ ଯାମିନୀ ନ ପାରିଲେ ବାରି । ୪ ।
ଭାବେ ଉଦ୍ଭ୍ରାନ୍ତ ତାରିଣୀ ଧନ୍ୟା ଗୋପିନୀ
ଆହ୍ଲାଦ ହିଲ୍ଲୋଳେ ଖେଳି ।
ବ୍ରହ୍ମା ଦେବ ଶଙ୍କର ଧ୍ୟାନେ ଯେ ଅଗୋଚର
ଆଜି ସେ ଉଭା ବ୍ରଜେ ନିତ୍ୟ ଲୀଳା ଆଚରି
(ପଡ଼ି)
ଯା ଦର୍ଶନ ଘେନି ଯୋଗୀ ମୁନି ଋଷି
ନ ଲଭନ୍ତି କଳ୍ପ କଳ୍ପ ଯୋଗେ ବସି
ଶ୍ରୀ ରାଧା ଗୋବିନ୍ଦ ସେବା ପ୍ରେମାନନ୍ଦ
ଲଭିଲେ ଗୋପୀଏ ନିଜ ଜନ ସରି । ୫ ।