(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ଝମ୍ପା)
ସଞ୍ଚାରିଣୀ ପାଞ୍ଚାଳିକା କାଞ୍ଚନମୟୀ ରେ
ପ୍ରଳମ୍ବ କୁଞ୍ଚିତକେଶା
ଯୋଗୀ ସମାଧି ଖଣ୍ଡନା ବିଧି ଚତୁର ଚାରୁବେଶା
ପଦପଙ୍କଜ ନ୍ୟାସ ପବିତ୍ରୀକୃତ ଧରିତ୍ରୀଦେଶା
କେ ତୁ ମୋହନ ହେତୁ ମନର
ସେତୁ ବିଳାସମିଷବନର
ନରଲୋକରେ କୃତବାଗୀଶ
ଶିଳ୍ପ ବିଶେଷ ଶେଷା । ଘୋଷା ।
ପନ୍ଦରୁ ଉଣା ପରି ତ ଜଣା
ପଡ଼ୁଛି କେହି ଏଡ଼େ ପ୍ରବୀଣା ହେଲୁ ରେ
ଛଣା ପୀୟୂଷ ଜିଣା ବାଣୀ
ସୁଧା ଗରଳ ମିଶା ତରଳ ବିଲକ୍ଷଣ ଚାହାଣୀ
ଜଗତୀ ଯୋଷାରତନ ଖୋସାଭୂଷା ଶ୍ରୀଅଙ୍ଗ ଠାଣି
ଜନ ନୟନ ନୀଳେନ୍ଦୀବର
ଚନ୍ଦ୍ରିକା ପରମ୍ପରା କି ବର
-ବରନା ତୁହି ନିଶ୍ଚୟ ତୋର
ବୁଦ୍ଧି ନ ପାରେ ଜାଣି । ୧ ।
କରିବୁ ଖର୍ବ ସୁପର୍ବ ପର୍ବ
ସୁଧାଂଶୁ ମୁଖୀଗଣଙ୍କ ଗର୍ବ
ସର୍ବଂସହାରେ କେ ରହିବ ମାନି
ଲାଜର ବାସଗୃହ ତୁ ରସରାଜର ରାଜଧାନୀ
ଗତି ଲାବଣ୍ୟ ମାତିଲା ବନ୍ୟହାତୀରୁ ବଳିଲାନି
ଧନ ଯାହାର ମୁକୁତାହାର
ହେବୁ ତୁ ଶ୍ରୀଛାମୁକୁ ତାହାର
ସୁକୃତ ତୁଲେ ମୋର ଜୁହାର
ହେଉ ମହତ୍ତ୍ୱ ହାନି । ୨ ।
ଉଦ୍ଦଣ୍ଡ ରତି ପାଣ୍ଡିତ୍ୟବତୀ
ବୋଲାଇ ଟେକାଇବୁ କି ଛତି ଏବେ ତ
ଯତିମୋହନା କ୍ଷିତି ମଣ୍ଡୁ
ଖଣ୍ଡିବୁ ଚଣ୍ଡ ଫୁଲକୋଦଣ୍ଡ ବୀରଦୋର୍ଦ୍ଦଣ୍ଡ କଣ୍ଡୁ
ଚୁମ୍ବେ ଯେ ଜୂରି ନେବ ମକରୀ ତୋର ସୁନ୍ଦର ଗଣ୍ଡୁ
ସେ ବଡ଼ ଗିରୀଶରୁ ଅମର
୦ନାଥରୁ ପାଶ କରୁ କବେର
ଠାରୁ ନଳିନ ନନ୍ଦନୁ ମୀନ
-ସ୍ୟନ୍ଦନୁ ମାରତଣ୍ଡୁ । ୩ ।
କହନ୍ତି ଅଷ୍ଟଦୁର୍ଗ ସାମନ୍ତ
ଶ୍ରୀ କୃଷ୍ଣଚନ୍ଦ୍ର ମୁଖୁଁ ଏମନ୍ତ
ସରସ ବାଣୀ ଶ୍ରୀ ଠାକୁରାଣୀ ଶୁଣି ଲଭିଲେ ଲାଜ
ସ୍ଫୁରିଲା କୁନ୍ଦ ମଧୁନିଃସ୍ୟନ୍ଦ ମନ୍ଦ ହସିତ ବ୍ୟାଜ
ଚାଳି କିରଣ କଲେ ଶରଣ ଆଳିଜନ ସମାଜ
ମିଳନ୍ତେ ଦିନେ ଏକାନ୍ତ ସୀମା
ଏପରି ପରିଣତ ଚନ୍ଦ୍ରମା
ବଦନା ଶ୍ୟାମ ଦୁହିଙ୍କ ପ୍ରେମ
ହେଲା ନିବିଡ଼େ ନ୍ୟାଜ । ୪ ।