(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଯତି)
ସେ କି ସାରାସାର ଜାଣେ
ପ୍ରୀତି ରୀତି ନ ପାଳେ ଯେ ଅଣୁ ପରମାଣେ । ଘୋଷା ।
ରାଜମାର୍ଗ ଛାଡ଼ି ଉଠେ ଅବାଟ ଉଠାଣେ
ଦ୍ୱିଜ ସଙ୍ଗ ବିବର୍ଜ୍ଜି ଯେ ମିଶଇ ପଠାଣେ । ୧ ।
ଶୁକସାରୀ ମାରି ଫଳ ଯେ ଦିଏ ସଞ୍ଚାଣେ
ଯେ କୁନ୍ଦନେ ଖଞ୍ଜେ ମଣି ନ ବସାଇ ଶାଣେ । ୨ ।
ଫଳ ବିନା ଅତି ଲୋଭ ରଖି ଛାର ପ୍ରାଣେ
ଜଳଧିରେ ଯେ ନ ପଡ଼େ ପ୍ରିୟଜନ ରାଣେ । ୩ ।
ତାହାକୁ କି କଳାବତୀ ନଜରକୁ ଆଣେ
ବିନ୍ଧା ହୋଇ ନାହିଁ ଥରେ ଯେ କୁସୁମ ବାଣେ । ୪ ।
କନକ ବନିବ ବୋଲି ରୀତି କି ରସାଣେ
ସତ୍ୟ ବୁଦ୍ଧି କରୁଥାଏ ଯେ ଶଶ ବିଷାଣେ । ୫ ।
ଯେ ବାମା ଅଧର ମଧୁ ବସନରେ ଛାଣେ
ମୃଦୁଳ ମାଳତୀ ମାଳା ହୀରାମୁନେ ହାଣେ । ୬ ।
ଯେ ଲେଖି ସୁଚିତ୍ରପଟ ସମରପେ କାଣେ
ମାଗିବା ଲୋକର କରେ ନ ଦିଅଇ ମାଣେ । ୭ ।
କନକ କୁଡ଼ୁଆ ଥାଉ ଯେ ପିଏ ପିହାଣେ
ଜାଈ ଥାଉଁ ଗିରିମଲ୍ଲୀ ଯେ ଲଗାଏ ଘ୍ରାଣେ । ୮ ।
କର୍ଣ୍ଣ ଯେ ସମର୍ପି ନାହିଁ ଭ୍ରମରେ ପୁରାଣେ
ହରିଙ୍କି ଯେ କରି ନାହିଁ ସ୍ଥୂଳ ପରିତ୍ରାଣେ । ୯ ।
କହେ ଜଗଦ୍ଦେବ ଶିକ୍ଷା ହେଲେ ହେଲେ ଟାଣେ
କେ କାହା ସ୍ୱଭାବ ଛାଡ଼େ ପରାଣ ପ୍ରୟାଣେ । ୧୦ ।