(କବିସୂର୍ଯ୍ୟ— ରାଗ ତୋଡ଼ି, ତାଳ ତ୍ରିପଟା)
ଅନାରତ ସରସମନା ମୋ ଧନ କିସ
ମନାସି ପରିଜନେ ରୁଷିଲା ରେ
ନିଶାରମଣଜୟ ବିଶାରଦ ବଦନ
ନବାରୁଣ ସଦୃଶ ଦିଶିଲା ରେ । ଘୋଷା ।
ବଳାହକ ଗରବଦଳା କୁନ୍ତଳେ ନବ
କଳାପ ସୁମୁଖୀ ନ ଖୋଷିଲା ରେ
ଢଳାଗୁଣ ମୋହନ ଚଳାଚଳ ନୟନ
ଦଳାନ୍ତରୁଚି ବଳି ଖସିଲା ରେ । ୧ ।
ଘୋଷଯାକ ଭିତରେ ମୋ ସଙ୍ଗମ ଇତରେ
ଅଛି କି ନାହିଁ ତ ନ କଷିଲା ରେ
ଦୋଷ ବିନା ଏପରି ରୋଷ କଲେ କି ପରି
-ଜନ ବଞ୍ଚିବ କହ ସୁଶୀଳା ରେ । ୨ ।
ଯେଉଁଦିନୁ ମୋତେ ସେ କଉତୁକିନୀ ରସେ
ନେତ୍ରାନ୍ତ ବରଛିରେ ଭୁଷିଲା ରେ
ପଉରୁଷ ମୋହର ନଉକରୀ ତାହାର
ଚରଣ ମାଜିବାର ସୁଶିଳାରେ । ୩ ।
ଦିବା ସମୟେ ଦିନେ ବିବାସ କଲି ମନେ
କିବା ସତତ ତା ହିଁ ଘୋଷିଲା ରେ
କାହିଁକିଟି ଧରଣୀ ଚାହିଁ କିଶୋରୀମଣି
ଗୁମାନକୁ ମାନସେ ପୋଷିଲା ରେ । ୪ ।
କହେ ବସୁଦୁର୍ଗେଶ ଅହେତୁକ ତା ରୋଷ
ଶହେ ଗୁଣରେ ସମୁଲ୍ଲାସିଲା ରେ
ପ୍ରାଣ ନେବାକୁ ମୋର ବାଣ ମୀନରଥର
ଶାଣରେ ନିରନ୍ତର କଷିଲା ରେ । ୫ ।