(କବିସୂର୍ଯ୍ୟ— ରାଗ ପୂରବୀ)
ଗୋ ରସନାଟି
କୃଷ୍ଣ ନାମ ଛାଡ଼ି ଆନେ ରସ ନା ଟି । ଘୋଷା
ଅଟକି ନ ରହି ଅଳସରେ
ରଟ ରଟ ଚଳ ବିଳାସରେ
କୃଷ୍ଣ କେଶବ କେଶିକଂସଦଳନ
ବଲ୍ଲବୀଜନ ବଲ୍ଲଭ ହରେ । ୧ ।
ଉପଳ ଶାକର ରସଫେଣା
ମଧୁ ମଧୁରସା ସରପଣା
ସୁଧା ତାମରସ ନେତ୍ରା ରସବାସ
ଏ ସବୁ ଶ୍ୟାମ ନାମରୁ ଊଣା । ୨ ।
ମକରନ୍ଦ ପକ୍ୱ ଚୂତ ରସ
ପ୍ରବାହେ ନ ରଖ ତୁ ତରସ
ବିଲକ୍ଷଣ ହରିନାମଙ୍କ ମାଧୁରୀ
ଇତର ସକଳ ଗତରସ । ୩ ।
ବୃନ୍ଦାବନ ବ୍ୟୋମ କଳାକର
ବିରାଜ ଧ୍ୱଜ ହେ ବିଶ୍ୱମ୍ଭର
ଅଜ ବାସୁଦେବ ମୁକୁନ୍ଦ ମାଧବ
ଗୋବିନ୍ଦ ବୋଲି କୀର୍ତ୍ତନ କର । ୪ ।
ଖଣ୍ଡ ମରିଚ କର୍ପୂର ଚୂରି
ଦେଲେହେଁ ସୁରଭୀ କ୍ଷୀରେ ଭରି
ଶ୍ୟାମ ରମଣୀୟ ମୋହନ ବିଗ୍ରହ
ନାମର କଳାକୁ ନୋହେ ସରି । ୫ ।
ବୋଲ ବୋଲ କଂସ ନିସୂଦନ
ଜୟ ଜୟ ଦେବ ଜନାର୍ଦ୍ଦନ
ଅଷ୍ଟଦୁର୍ଗ ପତି କହିବା ଭାରତୀ
ଇଷ୍ଟ ସୁଧାରସ ପରି ଘେନ । ୬ ।