(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଆଠତାଳି)
ବିମ୍ବାଧରା ରେ ବିଶ୍ୱମ୍ଭରା ଦେବୀ ଚମ୍ପାଝରା ରେ
ବନ୍ଧୁ ତୁ ମୋ ଛାତି ବିଭୂଷଣ ମୋତି
ସୋରି କି ଦୁଃଖପାଶୋରା ରେ । ଘୋଷା ।
ବଳାରାତି ବଇଜୟନ୍ତ ପ୍ରାସାଦ
ବିଳାସିନୀମାନେ ତାରା ରେ
ବେଶ ସୁରସିକା ତୁ ଶରଦ ରାକା
ରଜନୀ ଚନ୍ଦ୍ରମା ପରା ରେ । ୧ ।
ବିଲୋକି ଯା ମୋତେ ଉଠି ଲାଜ ସ୍ମିତେ
ହେଉ ରମ୍ୟ ରଦାମ୍ବରା ରେ
ବିଶେଷରେ ପୂତ କରୁ କି ରେ ମିତ
ମୋ ମାର୍ଗକୁ ସୁଧାଛରା ରେ । ୨ ।
ବିଧିରେ ଗିରିଜାରମଣଙ୍କ ପୂଜା
କରି ଚମ୍ପା ପରମ୍ପରା ରେ
ବୋଲାଏ ମୁଁ ବରବରନା ପ୍ରବର
ତୋ କରପଇଠ ଧରା ରେ । ୩ ।
ବୀଣା ବାଦନ ପ୍ରବୀଣା ପଣରେ ତୋ
ଗଣନା ପ୍ରଥମ ଗିରା ରେ
ବିଶ୍ୱ ବିମୋହନ ଗୁଣେ ତୁ ମୋ ଧନ
ଧୀରାଙ୍କ ଲଲାମ ହୀରା ରେ । ୪ ।
ବୋଲେ ଜଗଦ୍ଦେବ ସଙ୍କୋଚନ୍ତେ ବାଳା
କିଶୋରଙ୍କର ପଚରା ରେ
ବିଜେ ହେଉ ବଲ୍ଳୀ ମନ୍ଦିରକୁ ବୋଲି
ଆଳୀ କହେ ଆଖିଠରା ରେ । ୫ ।