Saja Hoitha Re Gajaraja Gati Aja

ସଜ ହୋଇଥାରେ ଗଜରାଜ ଗତି ଆଜ
(Kabisurjya— Raga Ramakeri, Tala Adatali)
(କବିସୂର୍ଯ୍ୟ— ରାଗ ରାମକେରୀ, ତାଳ ଆଡ଼ତାଳି)

ସଜ ହୋଇଥାରେ ଗଜରାଜ ଗତି ଆଜ
ରଜନୀ ଆସିବେ ସଜ ନୀଳୋତ୍ପଳ
ଶ୍ୟାମ ବ୍ରଜ ଯୁବରାଜ । ଘୋଷା ।

ସୁନା ଲତିକାରେ ମୀନା ପରି କଳା
ଝୀନ ଶାଢ଼ୀ ଯତ୍ନେ ପିନ୍ଧି
ବଳାପହ ମଣି ନୀଳ କୁନ୍ତଳରେ
କଳାପ କମର ବାନ୍ଧି । ୧ ।

ପୁଣ୍ଡରୀକବର ଯୁଗେ ଇନ୍ଦୀବର
ଯୁଗଳୀ ଲଢ଼ାଇବାକୁ
ମର୍ଦ୍ଦିବା ଲାଞ୍ଛନ ତାପିଞ୍ଛେ କନକ
ମଞ୍ଜରୀ ମିଳାଇବାକୁ । ୨ ।

ମସାରମଣି ହେମସାର ସମୂହ
ମିଶିବାର ବୁଝିବାକୁ
ବରତୁଳ ପୟୋଧରେ ରତିବର
ତୁଲେ ଥରେ ଯୁଝିବାକୁ । ୩ ।

କୁଞ୍ଜାଳୟ ଝଷଧ୍ୱଜ କେଳିରସ
ଭୁଞ୍ଜାଇ ଭୁଞ୍ଜିବୁ ପରା
କଞ୍ଜାୟତାକ୍ଷିରେ ଖଞ୍ଜାଇ ଲଲାମ
ତା ପରେ ପୁନ୍ନାଗ ଝରା । ୪ ।

ଦେଖି ସେ ଉତ୍ସବ ନେତ୍ରେ ଆମ୍ଭେମାନେ
ସୁଖୀ ହୋଇ ଜୀଇବାକୁ
ଦୁହେଁ ତ ଦୁହିଙ୍କ ଜୀବ ଜୀବ
-ବନ୍ଧୁ ଯିବ ମଧୁ ପିଇବାକୁ । ୫ ।

ଶୁଣି ଲଳିତାଙ୍କୁ ଲୀଳା ତାମରସ
ଉଞ୍ଚାଇଲେ ଦେବୀ ସ୍ନେହେ
ସେ ସମୟେ କରି ବନ୍ଦନାକୁ ହରି
-ଚନ୍ଦନ ଭୂନାଥ
କହେ । ୬ ।