(କବିସୂର୍ଯ୍ୟ— ରାଗ ରସକାମୋଦୀ, ତାଳ ଆଡ଼ତାଳି)
ରେ ସଙ୍ଗାତ ସମ୍ଭାଳି ନ ପାରେ ଆଉ
ଅମ୍ଭୋରୁହାକ୍ଷର ଖେଳା କଟାକ୍ଷର
ଦମ୍ଭୋଳିରୁ ବଳି ଦାଉ । ଘୋଷା ।
ଦୂରରୁ ପଡ଼ି ବୁଡ଼ିଯାଏ ହୃଦରେ
ଲୋଡ଼ିଲେ ନ ଦିଶେ ଆଉ
ମରମରେ ପଶି ଦରମରା କରେ
ସରସ ସ୍ପରଶ ନୋହୁ । ୧ ।
ଶବଦ ନ ଥାଇ ସ୍ତବଧ କରାଏ
ସେ କି ରତି ଋଣ ସାହୁ
ମିଆଦ ଟାଳିଲା ପିଆଦା ପରାଏ
ମାର ଝିଙ୍କେ ଆସୁଯାଉ । ୨ ।
ନବଘନ ଅଙ୍ଗ ବିଶେଷ ତରଙ୍ଗ
ରଙ୍ଗ ଦିଶେ ଦାଉ ଦାଉ
ସୁଦିନ କୁଦିନ କରାଏ ଦୁର୍ଦ୍ଦିନ
ଥରେ ଅନାଉଁ ଅନାଉଁ । ୩ ।
ଗଲେ ହେଲେ ଜାତି ମହତ୍ତ୍ୱ ସମ୍ପତ୍ତି
ଫିଟି ତୁଟି ଲୁଟିଯାଉ
ଗଜପତି ଭାଷି ହୁଅ ତାଙ୍କ ଦାସୀ
ପିଣ୍ଡେ ପ୍ରାଣ ଥାଉଁ ଥାଉଁ । ୪ ।