(କବିସୂର୍ଯ୍ୟ— ରାଗ ତୋଡ଼ି, ତାଳ ଖେମଟା)
ଆରେ କୁରଙ୍ଗୀଦୃଶା
ଆଜ ନିଶି କି ହେବ ତୋ ଦଶା ରେ । ଘୋଷା ।
ଲୁଳି ପଡ଼ୁ ତୁ ପହୁଡ଼ିଲେ ମୃଦୁଳ
ତୂଳୀ ତଳପରେ କ୍ଷଣେ
ପୁରୁଷ ତୁଲେ କି ଖେଳିବୁ ସଂସାର
ଗୁରୁ ସମର ପ୍ରାଙ୍ଗଣେ । ୧ ।
ନୂତନ ବୟସୀ ଜିଣିବ ଯତନ
ତୁ ତ ନ ଜାଣୁ ପହିଲେ
ଫତୁଆ ହେବୁ କି ସେ କାମ ଅମଳ
ମତୁଆଳ ଯୁବା ତୁଲେ । ୨ ।
ଶରୀରଲତା ତୋ ନ ଜାଣେ ଜନମୁ
ପରିରମ୍ଭ ଜାତ ପୀଡ଼ା
ବରଗିଲେ ଲମ୍ବି ସହିବୁ କେହି ସେ
ଅରଗଳ ଭୁଜ ଭିଡ଼ା । ୩ ।
କୋଟିଏ ସବତ ଅଳଙ୍କାର ହେଲେ
ଗୋଟିଏ ନ ଘେନୁ ଚୁମ୍ବ
ପୀବରସ୍ତନାରେ ବ୍ରଣେ ଏବେ ପୂରି
ଯିବ ରଦବାସ ବିମ୍ବ । ୪ ।
ବିଧୁବଦନା ତୋ ଲାଜ ବଳିଯିବ
ନିଧୁବନ ପରିଶ୍ରମୁଁ
ରାଜୀବ ଚରଣ ଝୁଲିଲେ ନୂପୁର
ବାଜିବ ଯେ ଝୁମୁ ଝୁମୁ । ୫ ।
ଭରତି କରି ସମସ୍ତ ମନୋରଥ
ବରତି ଆସିବୁ କେହି
ବୀର ରାମଚନ୍ଦ୍ର ଦେବ ବୋଲେ ମୋର
ନିରନ୍ତର ଚିନ୍ତା ଏହି । ୬ ।