Bandhu Rusila Andhudara Pari

ବନ୍ଧୁ ରୁଷିଲା ଅନ୍ଧୂଦର ପରି
(Kabisurjya— Raga Karunasri)
(କବିସୂର୍ଯ୍ୟ— ରାଗ କରୁଣାଶ୍ରୀ)

ବନ୍ଧୁ ରୁଷିଲା ଅନ୍ଧୂଦର ପରି ସବୁ ଦିଶିଲା
ରାମା ରୁଷିଲା କାମାନଳମୟ ସବୁ ଦିଶିଲା
ବାଳା ରୁଷିଲା ହାଳାହଳ ଜ୍ୱାଳାମୟ ଦିଶିଲା । ଘୋଷା ।

କି କଲା ଆହା ସୁଶ୍ରୋଣି ମୋ ପରମ ସୁଖଶ୍ରେଣୀ
ସ୍ୱର୍ଗ ବଡ଼ଭୀ ନିଃଶ୍ରେଣୀ ଖସିଲା ରେ । ୧ ।

ଅନଙ୍ଗ ବାଣ ବରଷା ସଙ୍ଗେ ତ କୁରଙ୍ଗଦୃଶା
ସରୋଷ ଅପାଙ୍ଗଭୂଷା ମିଶିଲା ରେ । ୨ ।

ତାର ନିଗ୍ରହୁ ମୁଁ ପରିବାରକୁ ଡରି ଜୁହାରି
-ବାର ନୀରସ ଭଗାରି ହସିଲା ରେ । ୩ ।

ଦେଖି ନ ଥାଇ ଏ ଭୂତି ଶିଖାଇ ଦୁର୍ନୀତି ନିତି
କେଉଁ ପିଶୁନ ମୋ ଧୃତି କଷିଲା ରେ । ୪ ।

ସନ୍ତାପ ସିନ୍ଧୁକୁ ନବବିଳାସିନୀ ସିନା ପ୍ଳବ
ଶ୍ରୀ ବାଲୁକେଶ୍ୱର ଦେବ ଭାଷିଲା ରେ । ୫ ।