(କବିସୂର୍ଯ୍ୟ— ରାଗ ରସକାମୋଦୀ, ତାଳ ଆଡ଼ତାଳି)
ରେ କିଶୋରି ରୁଷିବାର ସିନା ଜାଣୁ
ରସ ଜଳଧିରେ ଅବଗାହି ଧୀରେ
ତହୁଁ ତ ସାର ନ ଛାଣୁ ରେ । ଘୋଷା ।
ରମଣୀୟ ଜାଣି ରସି ଯହିଁ ପୁଣି
ନ ଡରି ପରିବାଦକୁ
ରୋଷ ଅଙ୍ଗୀକାର କରି କି ତାହାର
ଅଳପ କଥା ପଦକୁ । ୧ ।
ରତ୍ନ ତ ମୃଦୁଳ ନୋହେ ତାକୁ ଅଳ
-ଙ୍କାରକୁ ନିକି ନ ଆଣି
ରସିକାଙ୍କ ଶିଖାମଣି ଘେନୁ ଶିଖା
ଶିଖି ତୁହି କାହୁଁ ଶୁଣି । ୨ ।
ରକତ ବ୍ୟକତ ହେଲେ ଯଦି କ୍ଷତ
ହୁଅଇ ଆସେଚନକ
ରଦାଗ୍ର ସ୍ପରଶ ଅବା କେଡ଼େ ଦୋଷ
ନ କରି ଚିତ୍ତେ ବିବେକ । ୩ ।
ରତିଈଶ ରଣ ଯାହାର ଶରଣ
ଦେଖିଥିଲେ ତାକୁ ନେତ୍ରେ
ରହନ୍ତୁ କି ଲାଜ କ୍ରୋଧେ ଜମି ଆଜ
ଭୁଜେ ଭିଡ଼ି ଦେବା ମାତ୍ରେ । ୪ ।
ରଙ୍କରତନ ଲାଭକୁ ପରି ଏବେ
ରଚି ଯତନକୁ ଭଲେ
ରମ୍ୟ ଶ୍ୟାମ ଛବି କିଶୋରରେ କବି
-ରବି ରାୟଗୁରୁ ବୋଲେ । ୫ ।