(କବିସୂର୍ଯ୍ୟ— ରାଗ କେଦାର)
ପଚାର କେ ଆଣିଛି ଗଜଗତିକି
ସେ ମୋ ଏ ଜଗତୀକି । ଘୋଷା ।
କି ସୁନ୍ଦର ଦରହାସିତ
ଶୀତକରକର ଲଳିତ
ଦଶନବସନ ନବ ଜବାସୂନ
ଉପରେ କେ ରଖି ଦେଲା ମୋତିକି । ୧ ।
ଆହା ତାହା ଚାହାଣୀ ଠାଣି
ବଣାମୃଗ ନ ପାରେ ଆଣି
ମଳିନ ନୋହିବା ନଳିନ ଯୁଗଳେ
ଅଳି କରୁଥିଲା ଚଳି ରତିକି । ୨ ।
ସ୍ଫୁଟ ତିଳକୁସୁମ ନାସା
ପୁଟ ଫୁଲା ସରସ ଭାଷା
ଆଳୀକି ଆଳାପି ଚାଳି ଦେଉଥିଲା
ପ୍ରତି ପଦରେ କେଳତିପତିକି । ୩ ।
ହେମରମ୍ଭା ତରୁ ଊରୁକୁ
ପ୍ରେମରଙ୍କ ନଟ ଭୂରୁକୁ
ରୁଚକ ରୁଚିର କୁଚକଳଶକୁ
ଚାହିଁ ହଜାଇବେ ଯତି ମତିକି । ୪ ।
ଇଷ୍ଟରମା ସଖୀଙ୍କି ରସେ
ଅଷ୍ଟଦୁର୍ଗ ମହେନ୍ଦ୍ର ଭାଷେ
ମୋଦେ କୋଳେ ବସି ପଦେ କହୁ ହସି
ମୋ ସବତଟି ସେ ରସବତୀକି । ୫ ।