(ଲୋକନାଥ ପଟ୍ଟନାୟକ— ରାଗ ନଟକୋକିଳ, ତାଳ ଏକତାଳି)
ଯାଆନା ନିକୁଞ୍ଜେ ଯାଆନା
ବ୍ରଜ ଦ୍ୱିଜରାଜ କାହ୍ନା । ଘୋଷା ।
ସଙ୍କେତ ଦେଇ ମୋ ହାତେ ମାତି ଚନ୍ଦ୍ରାବଳୀ ସାଥେ
ହରିଦ୍ରା ରଞ୍ଜିତ ଗାତ୍ରେ ଆସିଛୁ ରଜନୀ ପ୍ରାତେ
(ପଡ଼ି)
ଆଶା କରି ଶ୍ରୀମତୀ ପାତି ଶେଯ ସୁପାତି
ଉଜାଗରେ ଶ୍ରୀପତି କଟାଇ ଦେଲା ରାତି
ତୁ ପରପ୍ରେମେ ମାତି ତାରେ ହେଲୁ ଅରାତି
ଲଗାନା ଆଉ ହଟ ନଟନାଗର କାହ୍ନା । ୧ ।
ଶ୍ୟାମ ସୋହାଗିନୀ ରାଧା ଦେଲୁ ତାରେ କାମ ବାଧା
ଚଖାଇ ପୀରତି ସୁଧା ଅନ୍ତରେ ଭରିଲୁ କ୍ଷୁଧା
(ପଡ଼ି)
ଦେଖି ତୋ ଶଠରୀତି ମନେ ବହିଲା ଭୀତି
ଅତି ବିରସ ମତି କାନ୍ଦି ଲୋଟୁଛି କ୍ଷିତି
ସାରା ସଂସାରେ ଶ୍ୟାମ ନାହିଁ ନା ଆନ ଗତି
ତୋତେ ଯିବାକୁ କୁଞ୍ଜେ ସଖୀ କରିଛି ମନା । ୨ ।
ଲମ୍ପଟୀପଣ ତୋ ଥାଉ ଧନୀରେ ନ ସାଧ ଦାଉ
ତୋ ଅକୀର୍ତ୍ତି ଗାଉ ଗାଉ ଗଲେ ତା ଜୀବନ ଯାଉ
(ପଡ଼ି)
ତୋ ଲାଗି ବନମାଳୀ ଦେଲା ସେ କୁଳେ କାଳି
ଦେଲା ଜାତି ମହତ ବିବେକ ଜଳାଞ୍ଜଳି
ଯା ଯା ତୁ ଚନ୍ଦ୍ରାବଳୀ କୁଞ୍ଜେ କରିବୁ କେଳି
ତା ସଙ୍ଗେ ଦଗାଦାର ପ୍ରେମରଙ୍ଗ ଲଗାନା । ୩ ।