(ଅଜ୍ଞାତ କବି— ରାଗ କଲ୍ୟାଣ, ତାଳ ଏକତାଳି)
ମାନିନୀ ରାଧେ ନିକୁଞ୍ଜେ ଆସ ଗୋ
କହିଛନ୍ତି ପୀତବାସ
ବସିଛନ୍ତି ଭାଳି ତୋର ଗଳାମାଳି
ହାହା ପ୍ରିୟେ ବୋଲି
ତେଜି ଦୀର୍ଘ ନିଶ୍ୱାସ । ଘୋଷା ।
ସେ ନନ୍ଦନନ୍ଦନ ମୁରଲୀ ବଦନ
ମଦନେ କଦନ ଲଭୁଛନ୍ତି ଧନ
(ପଡ଼ି)
ତେଜ ତେଜ ମାନ ମୋ ମିନତୀ ଘେନ
ଗତି ନାହିଁ ଆନ ନ କରରେ ନିରାଶ । ୧ ।
ସେ ଶ୍ୟାମଳ ଶଶୀ ନୀଳକଇଁ ବାସୀ
ହେଲା ପରି ଦିଶି ଗଲେଣି ସୁକେଶୀ
(ପଡ଼ି)
ରାଧାର ମୁଁ ଦୋଷୀ ବୋଲି ଦିବା ନିଶି
ହେଉଛନ୍ତି ଘୋଷୀ ଆକୁଳେ ଲଭି ତ୍ରାସ । ୨ ।
ସେ ଗୋପ ସଙ୍ଖାଳୀ କାହ୍ନୁ ବନମାଳୀ
କେତେ ନିଉଛାଳି ହେଲେ ଧନମାଳି
(ପଡ଼ି)
ନେତ୍ରୁ ଅଶ୍ରୁ ଢାଳି ତୋ ନାମକୁ ମାଳି
କରି ଭାଳି ଭାଳି ଆହା ଲଭେ କି ପ୍ରାସ । ୩ ।
ଦୂତିକା ଦଇନୀ ମାନି ବିନୋଦିନୀ
ସର୍ବ ସଖୀ ଘେନି ଚଳିଲେ ସେକ୍ଷଣି
(ପଡ଼ି)
ବେଣୁଧର ଭଣି ଚିନ୍ତି ଚିନ୍ତାମଣି
ସେ ଯୁଗଳ ଠାଣି ଦେଖି ଲଭିବି ତୋଷ । ୪ ।