(ଗଜପତି ଜଗନ୍ନାଥ ଦେବ— ରାଗ ପରଜ, ତାଳ ଆଠତାଳି)
କି ପାଞ୍ଚି ବନ୍ଧୁ ବସିଲା ରୁଷି
କେଉଁ ଦୋଷ ମୋର ଦେଖି ସୁଦୃଶୀ । ଘୋଷା ।
ସୁବେଶ କଲି ମୁଁ କେଡ଼େ ଯତନେ
ପାଶେ ନ ବସିଲା କି ଭାବି ମନେ । ୧ ।
ମଣ୍ଡିବା ସୁମନ ତଳପ ସାର
ବ୍ୟର୍ଥ ହେଲା ଯା କେଳତି ଅଗାର । ୨ ।
କରୁଣାମୟୀର କରୁଣା ଊଣା
କାହିଁ ପାଇଁ ମୋରେ ନ ଗଲା ଜଣା । ୩ ।
କେତେ ପରି କଲି ଚାଟୁ ରଚନା
ନ ଶୁଣିଲି ବୀଣା ଜିଣା ବଚନା । ୪ ।
ଚାହିଁଲା ନାହିଁ ତ ଆଡ଼ ନୟନେ
ଚେଳାଞ୍ଚଳ ରଖି ଚାରୁ ଲପନେ । ୫ ।
ଜଗନ୍ନାଥ ଦେବ ଭୂପତି ଭଣେ
ବାଳାର ଚରିତ୍ର ବିଚିତ୍ର ମଣେ । ୬ ।