Pari Hebi Mu Kehi

ପାରି ହେବି ମୁଁ କେହି
(Dwija Padmanabha— Raga Sankarabharana, Tala Ekatali)
(ଦ୍ୱିଜ ପଦ୍ମନାଭ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ପାରି ହେବି ମୁଁ କେହି ଶ୍ୟାମ ବିନୁ ଆରେ ସହି । ଘୋଷା ।

ଦେଖ ଏ ଦୁର୍ଦ୍ଦିନ ଦିନ ଦିନ ହୋଇଲା ନବୀନ
ଘନ ଘନ ଘନ ଗରଜନ ମାନ ସହି ସହି । ୧ ।

ଫୁଟିଲେ କଦମ୍ବ ଧାଡ଼ି ସୁମନ ମାଳତୀ ବୁଡ଼ି
ଏକାଳେ ମୋ ପତି ମତି ମୋହିଲା ତ କେହି କେହି । ୨ ।

ସଜନୀ ଏ ବରଷାରେ ନାରୀ ବିନା ଭରସାରେ
ସହିବ କେ ଏ ରସାରେ ଏକାକିନୀ ରହି ରହି । ୩ ।

ଦ୍ୱିଜ ପଦ୍ମନାଭ ଭଣି ନ ଭାଳ କିଶୋରୀମଣି
ଭାବିଲେ କି ହେବ ପୁଣି ଯାହା ଥିଲା ବିହି ଲିହି । ୪ ।