(ବୀରକେଶରୀ ଦେବ— ଯତି)
ପ୍ରୀତି କୁନ୍ଦନାରେ ସ୍ନେହ ରଖିଥିବୁ ମୋରେ
କର ଧରି ଏତେ ମାତ୍ର କହୁଅଛି ତୋରେ । ଘୋଷା ।
ଦଳିତ କଜ୍ଜ୍ୱଳ ଜଳଦ ମଞ୍ଜୁଳ
କେଶ ବାସ ଶୋଭନେ
କନକ କେତକୀ କାନ୍ତି ନିନ୍ଦିତ
ଗାତ୍ର ମାନସ ମୋହନେ ।
ପୂର୍ଣ୍ଣ ସୁନ୍ଦର ବିମ୍ବ ଅଧର
ପୁଣ୍ଡରୀକ ସେ ଆନନେ
ତୋର ବିନୁଁ ମୋର ମନ
ନ ବଳଇ ଆନେ । ୧ ।
କଞ୍ଜ ଖଞ୍ଜନ ଚିତ୍ତରଞ୍ଜନେ
ସଞ୍ଜନେ ଚିତ୍ତ ଲୋଚନେ
ତାର ହାରିଣୀ ଦୁଃଖ ନାଶିନୀ
କାମ ତାପ ବିମୋଚନେ
କାଶ ଶୀତକର ହାସ ଛବି ଦର
ହାସକାମୃତ ସେବନେ
କିଣିଅଛୁ ତ ଧନ ମୋତେ ତୋ
ପ୍ରେମ ବଚନେ । ୨ ।
ଚନ୍ଦ୍ରବଦନ ଚିତ୍ତରଞ୍ଜନ
ସଞ୍ଜ ନ ଚିତ୍ତ ଲୋଚନେ
କୁନ୍ଦ କୋରକବୃନ୍ଦ ହୀରକ
ଦନ୍ତୀ ନୃପତିନନ୍ଦନେ
ବିମ୍ବ ବିଦ୍ରୁମ ମଞ୍ଜୂଲାଧରୀ
କମ୍ବୁକଣ୍ଠୀ ବରାନନେ
କେଳିସିନ୍ଧୁ କୋପ ଆଉ
ନ ଧରିବୁ ମନେ । ୩ ।
ନଳିନୀବାସିନୀ ଶୋକନାଶିନୀ
ଭୂମିମଣ୍ଡଳୀ ମଣ୍ଡନେ
ମାରମାର୍ଗଣ ଦର୍ପଦାରଣ
ସଙ୍ଗମେ ଧୃତି ଖଣ୍ଡନେ
ମତ୍ତବାରଣୀ ମଦଗାମିନୀ
ଶୋକ ଦାୟିନୀ ସୁସ୍ୱନେ
ଭଣିଲେ ବୀରକେଶରୀ ଦେବ
ତୋଷ ମନେ । ୪ ।