(ଗଜପତି ଜଗନ୍ନାଥ ଦେବ— ରାଗ ସାରଙ୍ଗ, ତାଳ ତ୍ରିପଟା)
ଏକାକିନୀ ନବ ବାଳା
ମୁଁ କେହି ସହିବି ସ୍ମର ଜ୍ୱାଳା
ଆହା ଏ କାଳରେ ନବକିଶୋର ମୋରେ
କି ବିଚାରି କଲେ ହେଳା । ଘୋଷା ।
କୁସୁମ ଶେଯ ସଜାଇ
କୁଞ୍ଜେ ବସିଛି ପଥକୁ ଚାହିଁ
ଭଲା ମୋ ରମଣୀ ପ୍ରେମ ରସେ କିଣି
ରଖିଲା ମୋ କାନ୍ତ ମୋହି ରେ । ୧ ।
ନାନା ଭୂଷଣ ମଣ୍ଡି ଅଙ୍ଗେ
ନିଶି ବଞ୍ଚିଲି ରସ ପ୍ରସଙ୍ଗେ
ପାଞ୍ଚିଥିଲି ଚିତ୍ତେ ବିହରିବି ସତେ
ସେ ଚତୁରବର ସଙ୍ଗେ ମୁଁ ରଙ୍ଗେ । ୨ ।
ଧରି କରେ ଫୁଲ ଧନୁ
ଶର ଯୋଖି ବିନ୍ଧଇ ଅତନୁ
ହୃଦୟର ହାର ହେଲା ଅତି ଭାର
ସେ ନାଗବରବର ବିନୁ ସୁତନୁ । ୩ ।
ଶ୍ରୀମତୀ ବିରହ ରୀତି
ଦୂତୀ କହିଲା ମୋହନ କତି
ଶୁଣି ଶ୍ୟାମଘନ କୁଞ୍ଜେ ମିଳି ବହନ
ଶ୍ରୀ ଜଗନ୍ନାଥ ନୃପ କହନ୍ତି । ୪ ।