Nisedha Karuchi Dhana

ନିଷେଧ କରୁଛି ଧନ
(Ramakrusna— Raga Kamodi, Tala Jhula)
(ରାମକୃଷ୍ଣ କବିଚନ୍ଦ୍ର— ରାଗ କାମୋଦୀ, ତାଳ ଝୁଲା)

ନିଷେଧ କରୁଛି ଧନ ମନ ତହିଁ ମଜ୍ଜାନା ରେ
ପର ସଙ୍ଗେ ପ୍ରୀତି କରି ଜାତି କୁଳ ହଜାନା ରେ । ଘୋଷା ।

ହେବ କୁଳକୁ କଳଙ୍କ ହସିବେ ଜଗତ ଲୋକ
ଅପକୀରତି ଟମକ ନଗରେ ତୁ ବଜାନା ରେ । ୧ ।

କହୁଛି ରେ ସଖୀ ଘେନ କେବେ ନ ବଳାଅ ମନ
ଏବେ କହୁଅଛି ଘେନ ସେ ଅଟେ ନନ୍ଦକହ୍ନା ରେ । ୨ ।

ଦିନେ ଦେଖିଥିଲି ଡୋଳେ ସେ ଥିଲେ କଦମ୍ବ ମୂଳେ
ବଂଶୀ ସ୍ୱନେ ମୋର ଚିତ୍ତ ଚୋରାଇ ନେଲେ ସିନା ରେ । ୩ ।

ଭାଳି ନ ସରଇ ଦିନ ଦିନୁ ଦିନୁ ତନୁ କ୍ଷୀଣ
ରାମକୃଷ୍ଣ ବୋଲେ ହୀନ ମୁଁ ତୋର କିଣା ସିନା ରେ । ୪ ।