(ରାମକୃଷ୍ଣ କବିଚନ୍ଦ୍ର— ରାଗ ତୋଡ଼ିପରଜ, ତାଳ ଆଦିତାଳ)
ଜଣାଯିବ ତୋର ଟାଣ ରେ ମଦନ
ତରଳନୟନା ମରାଳଗମନା
ଦିନେ ରସିଥିଲେ ମନ । ଘୋଷା ।
ରସିକେ ଗେଲାଇ ନାସିକା ଫୁଲାଇ
ହଲାଇ ନାସା ବସଣୀ
ଯେତେବେଳେ କୋଳେ ବସାଇବା କାଳେ
ଉରଜରେ ଦେବି ପାଣି । ୧ ।
ଦେଲେ କର୍ଣ୍ଣ ଫୁଙ୍କି ହୃଦରେ ମୋ ଲାଖି
ରହିବ ରାମାରତନ
ରଦନ ବଦନ ଦରକମ୍ପା କରି
ଯେବେ ହେବ ପ୍ରାଣଧନ ରେ । ୨ ।
ରସିକା ରସରେ ରସି ଆନନ୍ଦରେ
ପ୍ରମୋଦ ମଦରେ ମାତି
ଫୁଲାଇ ତୁ ଛାତି ବାନ୍ଧିଥିବୁ କାତି
ପାହିଯିବା ଯାଏ ରାତି ରେ । ୩ ।
ରାମକୃଷ୍ଣ ଭଣି ଅଦୋଷରେ ପୁଣି
ଦଣ୍ଡୁ ତୁ ବିରହୀ ଜନ
ବଡ଼ କୁଳେ ଜନ୍ମ ହୋଇଲେ କି ହେବ
ବୁଦ୍ଧି ତୋର ବଡ଼ ହୀନ ରେ । ୪ ।