(ରାମକୃଷ୍ଣ କବିଚନ୍ଦ୍ର— ରାଗ ରେଗୁପ୍ତ, ତାଳ ଏକତାଳି)
ପ୍ରୀତି ରୀତିକି ହେଜିଲି ଗୋ
ଏତେ କାଳରେ ଅପଥ ପଥ
ତାହାର ସାହସ କରେ ଆହାର । ଘୋଷା ।
କାହୁଁ ଆସି କି ପଡ଼ଇ ମନ ସେ ରସେ ବୁଡ଼ଇ
ନୀର ନୟନୁ ଗଡ଼ଇ, ଉରେ ଜଡ଼ଇ
ତୁମ୍ଭଙ୍କୁ ଖୋଜି ତଡ଼ଇ ଅନ୍ତରଗତେ ପୀଡ଼ଇ ।
(ପଡ଼ି)
ତରତର ଗତି କାତରରେ ମାନସ
ଥର ଥର ତନୁ ହାସର ଶରଧା ହେଜି
ବିଷଧର ଉଦ୍ଧର ଉଦ୍ଧର ବୋଲି
ଖସି ପଡ଼ୁଥାଇ ଧୀର । ୧ ।
ନିତି ଏକାନ୍ତ ଲୋଡ଼ଇ କରପତ୍ରକୁ ଯୋଡ଼ଇ
ସୁଖ ଛାଡ଼ କହିଲେ କଥା ହୁଡ଼ଇ, ଚାହିଁଲେ ଲାଜ ମାଡ଼ଇ
ଭିନ୍ନ ଭିନ୍ନ ରୀତି ଘନ ଘନ ନିଃଶ୍ୱାସ ସହି ବନ
ବନଜାକ୍ଷି ଛନ୍ନଛନ୍ନ ହୁଅଇ ଜନ ଘନ
ମୁଁ ଅପବାଦ ବାଦ ପରମାଦ ମାଦ
ଦହେ ଧୀରେ ନିରତେ ମତି । ୨ ।
ନ ଦେଖି ତାକୁ ପଥରେ ଆଦର କରେ କାଅହରେ
ଆକୁଳେ କହେ କହ କହ ରେ, ପଡ଼େ ମୋହରେ
ପ୍ରାଣକୁ ବୋଲେ ରହରେ ତାହାରି ଗୁଣ କହରେ
ଦମଦମ ଛାତି କା କ୍ଷମ ଗମନେ
ପ୍ରୀତି ଝାମ ଝାମ କରେ ବାମ ବାମଦେବ
ଛାତି ଛାତି କାତି ମୂନେ କରତି । ୩ ।
ଯେ ଯେତେ କହେ ଉଚିତ ଲାଗୁଥାଇ ଅନୁଚିତ
ଯେ ଲାଜ ଧନ ସଞ୍ଚିତ ମଣେ କିଞ୍ଚିତ, ରାମକୃଷ୍ଣ ବିରଚିତ
ସହି ସହି ଦୁଃଖ ରହି ରହି ବଦନ
ପୋତି ପୋତି ମହୀ ଚାହିଁ ଚାହିଁ
ରହି ଗ୍ଳାନି ବହି ବହି ଲାଜ ତେଜି ଯହିଁ
ମହିଳାଗଣେ କହି ବିନତି । ୪ ।