(ଗୌରଚରଣ— ରାଗ ତୋଡ଼ିପରଜ)
ରେ କିଶୋରୀ ତୋ ବୁଦ୍ଧି ବିବେକ ହୁଡ଼ି
ନନ୍ଦ ନେତ୍ରଚାନ୍ଦ ଶୋଭାସିନ୍ଧୁ ନୀରେ
ଆଜି ତୁ ଗଲୁ କି ବୁଡ଼ି । ଘୋଷା ।।
ଏ ଅତି ସୁଲଭ ଯେ ଦେବଦୁର୍ଲ୍ଲଭ
ସେ ଯେବେ ନେଲେଣି ଜାତି
ଏଣିକି ଅନଙ୍ଗରଙ୍ଗ ମହୋତ୍ସବେ
ପୁହାଇବୁ ସୁଖେ ରାତି । ୧ ।
ତାହାଙ୍କ ପ୍ରଣୟ ଭୁଜେ ବାନ୍ଧିହେଲେ
ଆରେ ଜୀବନ ବାନ୍ଧବୀ
ସେ କାଳେ ଆମ୍ଭଙ୍କୁ ଲୋଡ଼ିବୁ କି ଆଉ
ମନେ ମୁଁ ହେଉଛି ଭାବି । ୨ ।
ପୂର୍ବରେ ତୁ କେଉଁ ପୁଣ୍ୟ କରିଥିଲୁ
କେଉଁ ଦେବତା ମନାଇଁ
ଜାଣି ସେ ସୁକୃତ ହେଲେ ବଶୀଭୂତ
ନାଗରବର କହ୍ନାଇଁ । ୩ ।
ନବ ଅନୁରାଗେ ପୁଲକିତ ଅଙ୍ଗେ
ଠାରୁଛୁ କାହାକୁ ଆଖି
ଲୁଚାଇଲେ ଧନ ମରମ କଥାଟି
ଜଣାପଡ଼ି ନ ଯାଏ କି । ୪ ।
ସାତ୍ତ୍ୱିକ ବିକାରେ ପ୍ରେମ ଜରଜରେ
ହେଲୁଣି ତ ବାଇଆଣୀ
ତୋ ପ୍ରାଣ ସର୍ବସ୍ୱ ହେଲେଣି ଅବଶ୍ୟ
ମୋହନ ମୁରଲୀପାଣି । ୫ ।
ଗୌର ଦ୍ୱିଜ ଗିର ଛାଡ଼ି ନାହିଁ ତୋର
ବାଲ୍ୟ ଦଶା ଆଜ ସରି
କୃଷ୍ଣଧନେ ଧନୀ ହୋଇ ସଜନୀଙ୍କି
ଦେବୁ ନାହିଁଟି ପାଶୋରି । ୬ ।