Nisedhi Thili Para Pahilu Re

ନିଷେଧି ଥିଲି ପରା ପହିଲୁ ରେ
(Gouracharana— Raga Kamodi, Tala Ekatali)
(ଗୌରଚରଣ— ରାଗ କାମୋଦୀ, ତାଳ ଏକତାଳି)

ନିଷେଧି ଥିଲି ପରା ପହିଲୁ ରେ
କାହିଁକି ତୁ ତେଣିକି ଚାହିଁଲୁ ରେ
ସେ ଯମୁନା ଅୟନ ଜଗୁଆଳୀ ନୟନ
କୁନ୍ତକୁ ବକ୍ଷ ଯା ପତାଇଲୁ ରେ । ଘୋଷା ।

ବିଷମ ବ୍ୟାଧି ଏବେ ଘୋଟିଗଲାଣି କେବେ
ନ ଭୋଗିବାର ଦଶା ପାଇଲୁ ରେ
କଳା ନାଗର ବିଷ ଘାରିବ ଅହର୍ନିଶ
ପୀୟୂଷ ମଣି ଯାହା ଖାଇଲୁ ରେ । ୧ ।

କେଉଁ ସାହସେ ଧନ ସମର୍ପି ଦେଲୁ ମନ
ଯୁବତୀ ସଂସାରେ କି ରହିଲୁ ରେ
ଏଥିକି ରସନିଧି ନାହିଁ ତ ମହୌଷଧି
ଜାଣି ଦୁଃସହ ତାପ ସହିଲୁ ରେ । ୨ ।

ତୋର ଏ ଅଭିଳାଷ ଥିଲା ଯେବେ ବାଳୀଶ
ଆଗରୁ ମୋତେ ଯା ନ କହିଲୁ ରେ
କି ବାଇଆଣୀ ରୀତି ଆଚରିଲୁ ଶ୍ରୀମତୀ
ଛାଏଁ ତ ନିନ୍ଦା ବୋଝ ବୋହିଲୁ ରେ । ୩ ।

ଅସରନ୍ତି ତୋ ଦିନ ହେବଟି ଏ ନିଦାନ
କେଉଁ କୁଳରେ ହାଦେ ନୋହିଲୁ ରେ
ଗାରିମା ଗିରିଧାରୀ ସାରି ଦେଇଛି ଠାରି
ବିରହାନଳେ ତନୁ ଦହିଲୁ ରେ । ୪ ।

ଦ୍ୱିଜ ଗଉର ବୋଲେ ଶ୍ୟାମ ଶୋଭା ସଲିଳେ
ନ ବିଚାରି ତ ଅବଗାହିଲୁ ରେ
ଏଣିକି ବିମ୍ବାଧରୀ ରହ କର୍ମ ଆଦରି
କେ କି କରିବ ଆପେ ଭ୍ୟାଇଲୁ ରେ । ୫ ।