(ଗୌରଚରଣ— ଆଡ଼ତାଳି)
ଆଜନମ ସୁଖୀ ପଙ୍କଜ ମୁଖୀ ରେ
ଶିଖୀଚୂଳେ ଆଖି ଲାଖିଲା କି । ଘୋଷା ।
ଚମକି ଉଠୁଛୁ ରହି ଥକି ଥକି
ଶୁଖି ଶୁଖି ତନୁ ଯାଉଛି କାହିଁକି
ଦୁଃଖୀଧନ ଫେଡ଼ି କହିବୁ ନାହିଁ କି
ଥରାଇ ଲାଗିଛୁ ତୋ ଛାତିକି । ୧ ।
ଲୁକି ଲୁକି ଚାଳି ଆକ୍ଷି ଦେଖିଲୁ କି
ଫୁଙ୍କିବା ମୁରଲୀ ଶୁଣା ଶିଖିଲୁ କି
ମୁଁ କି ବିପରୀତ ଦେଖୁଛି ରେ ସଖୀ
ଝୁଙ୍କି ହେଉ କିମ୍ପା ଏପରି କି । ୨ ।
କାଳିଆ ନାଗର ଅଧରାମୃତ କି
ଢୋକିଦେଲୁ ତୁ କି ହୋଇ କଉତୁକୀ
ପ୍ରେମ ହଳାହଳ ଶିଖିଶିଖା ଟେକି
ବୁକୁ ସ୍ଥଳୀ ଜାଳି ଦେଉଛି କି । ୩ ।
ଜଡ଼ିବୁଟି ଯନ୍ତ୍ରମନ୍ତ୍ର ତ ଏଥିକି
ନାହିଁ କିଛି ଆଉ ଖୋଜିଲେ ପୋଥିକି
ଗୌର ଦ୍ୱିଜ ଭାଷେ ନାଗର ସାଥିକି
ଅଉଷଧି ଜାଣେ ମୁଁ ଏତିକି । ୪ ।