Sari Jauchi Go Sukhara Jhulana Jata

ସରିଯାଉଛି ଗୋ ସୁଖର ଝୁଲଣ ଯାତ
(Gouracharana— Raga Todi)
(ଗୌରଚରଣ— ରାଗ ତୋଡ଼ି)

ସରିଯାଉଛି ଗୋ ସୁଖର ଝୁଲଣ ଯାତ
ଦେଖିଥାଅ ଥରେ ନୟନ ପଥରେ
ମୋ ପ୍ରାଣସହି ସଙ୍ଗାତ । ଘୋଷା ।

ଶ୍ରୀଭାନୁ ଦୁଲ୍ଲାଳୀ ତୁଲେ ବନମାଳୀ
ଫୁଲ ଦୋଳିରେ ବିଜେ ତ
ସଖୀଗଣ ମିଳି ଦେଇ ହୁଳହୁଳି
ଝୁଲାନ୍ତି କି ରଙ୍ଗରେ ତ । ୧ ।

ମର୍ଦ୍ଦଳ ମନ୍ଦିରା ବୀଣା ଏକତାରା
ଶଙ୍ଖ ମହୁରୀ ବାଜେ ତ
ରବା ଭେରୀ ତୂରୀ ବିଜୟ କାହାଳୀ
ମଧୁର ସ୍ୱର ସହିତ । ୨ ।

ମୃଦଙ୍ଗ କଂସାଳ ଘଣ୍ଟା କରତାଳ
ସାରଙ୍ଗୀ ବାଜେ ତା ସାଥ
ନାଗରା ଟିକରା ଖଞ୍ଜଣୀ ଘୁମୁରା
ବାଦ୍ୟ କେ କରିବ ଅନ୍ତ । ୩ ।

ରାଗ ଆଳାପିଣ କରୁଛନ୍ତି ଗାନ
ମାନସ ଭୁଲା ସଙ୍ଗୀତ
ଦେବଦୁନ୍ଦୁଭିର ତୁଲେ ଗୀତସ୍ୱର
ଶୁଭୁଅଛି ଅଲୋକିତ । ୪ ।

ଗଉରଚରଣ ବୋଲେ ମୁଁ ଶରଣ
-ରକ୍ଷଣ କୃଷ୍ଣଙ୍କ ଭୃତ୍ୟ
ଦରଶନ କରି ସେ ଶୋଭା ମାଧୁରୀ
ଛାମୁରେ କରିବି ନୃତ୍ୟ । ୫ ।