(ଗୌରଚରଣ— ରାଗ ତୋଡ଼ିପରଜ, ତାଳ ଆଦିତାଳ)
କେଡ଼େ ଶୋଭା କୁଞ୍ଜବନ ଗୋ ସଜନୀ
କେଡ଼େ ଶୋଭା କୁଞ୍ଜବନ
ନାନା କୁସୁମିତ ତରୁଲତା ବ୍ରାତ
ଅନା ଅନା କି ଯତନ । ଘୋଷା ।
ଯହିଁ ବିହରନ୍ତି ନୀଳମଣି ହାତୀ
ଯଶୋଦା ନନ୍ଦନନ୍ଦନ
କି ଉପମା ଦେବା ସରିକି ମଘବା
ନିଳୟ ନନ୍ଦନ ବନ ଗୋ । ୧ ।
କୁନ୍ଦନ ପ୍ରତିମା ବୃଷଭାନୁ ଜେମା
ଯହିଁ କରେ ବିହରଣ
ଭୂମି ଚିନ୍ତାମଣି କଳ୍ପଦ୍ରୁମ ଶ୍ରେଣୀ
ଅଗଣନ ବିଦ୍ୟମାନ ଗୋ । ୨ ।
ଶୁକ ପିକ ସାରୀ ମୟୂର ମୟୂରୀ
ଭୃନ୍ଦ ଭ୍ରମରିକାଗଣ
ଜୟ ରାଧେ ଶ୍ୟାମ ବୋଲିକି ସୁଷମ
କରୁଛନ୍ତି ମୃଦୁ ଗାନ ଗୋ । ୩ ।
ପରା ଚିରଦିନ ବସନ୍ତ ରାଜନ
ଷଡ଼ଋତୁ ସହିତେଣ
ସେବଇ ସନ୍ତତ ଯୁଗଳ ଚରଣ
ଫୁଟାଇ ସର୍ବ ସୁମନ ଗୋ । ୪ ।
ରତ୍ନବେଦିକାରେ ରତନ ଆସନେ
ବିଜୟେ ରାଧା ମୋହନ
ସତେ ଏଡ଼େ ଭାଗ୍ୟ ଦରଶନ ଯୋଗ୍ୟ
ହେବ ଗଉରଚରଣ ଗୋ । ୫ ।