Jibana Pradipa Hela

ଜୀବନ ପ୍ରଦୀପ ହେଲା
(Gouracharana— Raga Karunasri, Tala Athatali)
(ଗୌରଚରଣ— ରାଗ କରୁଣାଶ୍ରୀ, ତାଳ ଆଠତାଳି)

ଜୀବନ ପ୍ରଦୀପ ହେଲା ଦପଦପ
ପ୍ରବେଶ ହୋଇଲା ଶେଷ ଯାମ
ଶ୍ରୀ ବଂଶୀବଦନ ଶ୍ରୀ ମଧୁସୂଦନ
ରଟ ରେ ରସନା ନୋହି ଭ୍ରମ । ଘୋଷା ।

ବୋଲ ବୋଲ କୃଷ୍ଣ କେଶବ ମୁରାରି
ହୃଷୀକେଶ ଦୀନବନ୍ଧୁ ଦଇତାରି
ନୃସିଂହ ବାମନ ଶଙ୍ଖଚକ୍ରଧାରୀ
ବଳିଧ୍ୱଂସୀ ରାମ ଘନଶ୍ୟାମ । ୧ ।

ବୋଲ ବାରମ୍ବାର ମାଧବ ମୁକୁନ୍ଦ
କେଶବ ଅଚ୍ୟୁତ ଶ୍ରୀ ସଚ୍ଚିଦାନନ୍ଦ
ଶ୍ରୀ ଗୋପୀଜନବଲ୍ଲଭ ଆଦିକନ୍ଦ
ବୈକୁଣ୍ଠ ଶ୍ରୀପତି ଅଭିରାମ । ୨ ।

ନିତ୍ୟ ନିରଞ୍ଜନ ସତ୍ୟ ସନାତନ
ଗୋବର୍ଦ୍ଧନ ଧାରୀ ଶ୍ରୀ ନନ୍ଦନନ୍ଦନ
କାଳୀୟ ଗଞ୍ଜନ ଯାମଳା ଭଞ୍ଜନ
ବୃନ୍ଦାବନଚନ୍ଦ୍ର କୋଟିକାମ । ୩ ।

ରସରାଜ ରସମୟ ରସିକେନ୍ଦ୍ର
ଗୋକୁଳକୁଳ କୁମୁଦ ପୂର୍ଣ୍ଣଚନ୍ଦ୍ର
ଦ୍ୱିଜ ଗୌର ମତି ପ୍ରମତ୍ତ ମିଳିନ୍ଦ
ଯୁଗ୍ମ ପଦେ ପୂର୍ଣ୍ଣ କରୁ କାମ । ୪ ।