Syama Na Ja Na Ja Bana Re

ଶ୍ୟାମ ନ ଯା ନ ଯା ବନରେ
(Gouracharana— Raga Mallara, Tala Tripata)
(ଗୌରଚରଣ— ରାଗ ମଲ୍ଲାର, ତାଳ ତ୍ରିପଟା)

ଶ୍ୟାମ ନ ଯା ନ ଯା ବନରେ
ଶ୍ୟାମ ନ ଯା ବନ
ବାବୁ ତୁ ମୋ ଜୀବନ ଧନ ରେ । ଘୋଷା ।

ଆରେ ବାପ ବନମାଳୀ
ତୁ ମୋ ନୟନ ପିତ୍ତୁଳୀ
ତୋ ବିହୁନେ ଏ ଭୁବନ ଶୂନ୍ୟ ରେ । ୧ ।

ଦଣ୍ଡେ ନ ଦେଖିଲେ ତୋତେ
କୋଟି ଯୁଗ ହୁଏ ମୋତେ
ମୁହିଁ ରଙ୍କ ତୁ ମୋ ରତନ ରେ । ୨ ।

ଡରୁ ଅନ୍ଧାର ଘରକୁ
ମାଆ ମାଆ ବୋଲି ଡାକୁ
ଭୟେ ହେଉ ତୁ ଛନ୍ନ ଛନ୍ନ ରେ । ୩ ।

କାଲି ତୋତେ କୋଳେ ଘେନି
ଶୋଇଥିଲି ମୁଁ ରଜନୀ
ଦେଖିଲି ମୁଁ ପାପ ସପନ ରେ । ୪ ।

ଦଣ୍ଡେ ହୋଇଲେ ଉଛୁର
ଭୋକେ ହେଉ ଥରହର
ବନେ କରିବୁ କି ଭୋଜନ ରେ । ୫ ।

ଦ୍ୱିଜ ଗୌର କହେ ଦୁଃଖୀ
ଯେବେ ଯିବୁ ବତ୍ସା ରଖି
ତୋ ସଙ୍ଗେ ମୁଁ ଯିବି କାନନ ରେ । ୬ ।