(ଗୌରଚରଣ— ରାଗ ଲଳିତ କାମୋଦୀ, ତାଳ ଆଠତାଳି)
ରେ ଜୀବଧନ
କାହିଁକି ତୁ ରଖିବୁ ଗୋଧନ ରେ । ଘୋଷା ।
କେଉଁ ଦ୍ରବ୍ୟ ଅପୂର୍ବ କି ନ ମିଳଇ ମୋତେ
ବତ୍ସା ରଖିବାକୁ ବନେ ପଠାଇବି ତୋତେ ରେ । ୧ ।
ଲକ୍ଷେ ଲକ୍ଷେ ରଖୁଆଳ ଅଛନ୍ତି ମୋହର
ଭାତ ବରତନ ଖାଇ ହୋଇଣ ଚାକର ରେ । ୨ ।
ବନେ ବୁଲି ବତ୍ସା ଚରାଇବା ବଡ଼ ଦୁଃଖ
ଖରା ବରଷାରେ ଗଞ୍ଜି ଲବେ ନାହିଁ ସୁଖ ରେ । ୩ ।
କାନନେ ବାଘ ଭାଲୁଙ୍କ ଭୟଙ୍କର ବାଣୀ
ଛନ୍ନ ହେବୁ ବାବୁ ତାଙ୍କ ରବ କର୍ଣ୍ଣେ ଶୁଣି ରେ । ୪ ।
ଭୟଙ୍କର ରୂପ ବାଡ଼େ ଚିତ୍ର ଲେଖା ଦେଖି
ଡରି ମୋ କୋଳରେ ବସି ବୁଜୁ ପରା ଆଖି ରେ । ୫ ।
ଖାଲ ଖଣା ଗୋଡ଼ି କଣ୍ଟା ଗହନ ବନସ୍ତେ
ସୁକୁମାର ପଦ ତୋର ଚାଳିବୁ କେମନ୍ତେ ରେ । ୬ ।
ହଂସୁଲୀ ତୂଳୀରେ ନିଦ ନ ମାଡ଼ଇ ତୋତେ
ଲୋଡ଼ିଲେ କି ଶଯ୍ୟା ଆଉ ମିଳିବ ବନସ୍ତେ ରେ । ୮ ।
ତୃଷା କଲେ ତହିଁ ଜଳ ନ ମିଳେ ରେ କହ୍ନା
କ୍ଷୁଧା କଲେ ଫଳ ମୂଳ ଖାଇବୁ ତୁ ସିନା ରେ । ୯ ।
ଜାଣୁ ଜାଣୁ ଏତେ ଦୁଃଖ ପେଷିବି ବନକୁ
ସତ କି ମିଛ ମୋ ବାବୁ ବୁଝ ତୋ ମନକୁ ରେ । ୧୦ ।
ଫୁଟିଯାଏ ଆଖି ତୋତେ ନ ଦେଖିଲେ ଦଣ୍ଡେ
ତୁ ଆସିବା ଯାଏଁ ପ୍ରାଣ ଥିବଟି କି ପିଣ୍ଡେ ରେ । ୧୧ ।
ବତ୍ସା ରଖିବାରୁ ଧନ ବଡ଼ପଣ ଯେତେ
ଲୋଡ଼ା ନାହିଁ ମୋର କ୍ଷଣେ ନ ଛାଡ଼ିବି ତୋତେ ରେ । ୧୨ ।
ଗୌର କହେ ଶ୍ରୀମୁଖକୁ ଚାହୁଁଥିଲେ ତୋର
କୋଟି ଇନ୍ଦ୍ର ସମ୍ପତ୍ତି ମୁଁ ମଣୁଥାଇ ଛାର ରେ । ୧୨ ।