Maae Kahin Pain Go

ମାଏ କାହିଁପାଇଁ ଗୋ
(Gouracharana— Raga Mohanaa, Tala Aditala)
(ଗୌରଚରଣ— ରାଗ ମୋହନା, ତାଳ ଆଦିତାଳ)

ମାଏ କାହିଁପାଇଁ ଗୋ ମନା କରୁଛ ମୋତେ
ଏକା ହୋଇ ମୁଁ ତ ବନକୁ ନ ଯିବି
ସଙ୍ଗତରେ ଯିବେ ଗୋପାଳ ସୁତେ । ଘୋଷା ।

ସୁଦାମ ସୁବଳ ମଧୁମଙ୍ଗଳ
ସର୍ବ ସଖା ହୋଇଥିବୁ ସୁମେଳ
ଗ୍ରାମ ପାଶେ ଥିବୁ ଦୂରକୁ ନ ଯିବୁ
ପୁରକୁ ଆସିବୁ ଦିବସ ଅନ୍ତେ । ୧ ।

ଭାଇ ବଳରାମ ଥିବେ ମୋ ସଙ୍ଗେ
ଖେଳ କଉତୁକ କରିବୁ ରଙ୍ଗେ
ଯେ ଯମୁନା ତୀର ସେ ଗୋପ ନଗର
ତହିଁ କିମ୍ପା ଡର ହୋଇବ ଚିତ୍ତେ । ୨ ।

ସକାଳରୁ ସ୍ନାନ ଭୋଜନ ସାରି
ନଦୀ ତୀରେ ରଖିଥିବୁଁ ବାଛୁରୀ
ଦ୍ୱିତୀୟ ଭୋଜନ ପାଇଁକି ଅଶନ
ସାମଗ୍ରୀ ତ ନେଇଥିବୁଁ ସଙ୍ଗତେ । ୩ ।

ଜନନୀଙ୍କ ଅଗ୍ରତରେ ଗୋବିନ୍ଦ
କଲେ ଯେତେ ଯେତେ ରୂପେ ଆଚ୍ଛନ୍ଦ
କେବେହେଁ ସେ ରାଣ ନ ବୁଝନ୍ତି ପୁଣି
ଗଉରଚରଣ କହଇ ଗୀତେ । ୪ ।