Dekhiba Para Asa Go Mitani

ଦେଖିବ ପରା ଆସ ଗୋ ମିତଣୀ
(Gouracharana— Raga Kumbha Kedara, Tala Khemata)
(ଗୌରଚରଣ— ରାଗ କୁମ୍ଭକେଦାର, ତାଳ ଖେମଟା)

ଦେଖିବ ପରା ଆସ ଗୋ ମିତଣୀ
ମଦନ ମୋହନ ଲାବଣ୍ୟ ଠାଣି ଗୋ । ଘୋଷା ।
ଅନୁପମ ଚାରୁ ମୁରଲୀପାଣି
ବନୁ ଆସୁଛନ୍ତି ଗୋଧନ ଆଣି । ୧ ।
କି ମଞ୍ଜୁଳ ତାଙ୍କ ବାଙ୍କ ଚାହାଣୀ
ବିଲୋକି ପଥର ହୋଇବ ପାଣି । ୨ ।
ଖେମଟା ନାଟକୁ ଢମାଳି ବାଣୀ
ଭଲା ମାନୁଥାଇ ପଥରୁହାଣି । ୩ ।
ହାସ ଚନ୍ଦ୍ରହାସ କରି ଉଚାଣି
ସତୀ ଦମ୍ଭତରୁ ପକାନ୍ତି ହାଣି । ୪ ।
ଗୋକୁଳେ ଗୋକୁଳେ କାହାର ଆଣି
ଛଡ଼ାଇ ନ ଦେବେ କହ ସିହାଣୀ । ୫ ।
କେତେ ଶ୍ରମେ କେତେ ସୁରସ ଛାଣି
କେଉଁ ବିହି ଥିଲା କାହୁଁ ନିର୍ମାଣି । ୬ ।
ଗୌର ଦ୍ୱିଜ ବୋଲେ ନାହଁ କି ଜାଣି
ସେ ନାଗରମଣି ବିଶ୍ୱବିନ୍ଧାଣୀ । ୭ ।