(ଗୌରଚରଣ— ରାଗ ତୋଡ଼ିପରଜ, ତାଳ ଆଡ଼ତାଳି)
ଅନା ରେ ମନାନନ୍ଦ ଛବିକି
ଚୂନା କରେ ସତୀ ମତି ପବିକି । ଘୋଷା ।
ସେ ବଙ୍କା ମୂରତି ଶ୍ୟାମସୁନ୍ଦର
ନିତି ନିତି କରେ ନୂଆ ହୁନ୍ଦର । ୧ ।
ଅଖିଳ ବରଜପୁରେ ଗୋ ଏହି
ରଖିଦେବ ନାହିଁ ଯୁବତୀ ଗୋଈ । ୨ ।
ଅଙ୍ଗଭଙ୍ଗୀ ଛଟା ହସ ଚାହାଣୀ
ମୁଗୁନି ପଥର କରଇ ପାଣି । ୩ ।
କି ଛାର ସେ ମାର ଶୋଭା ଗୋ ମିତ
ଏ ରୂପ ଦେଖିଲେ ହେବ ମୋହିତ । ୪ ।
ନବୀନ ନଟନ ମୋହନ ବେଶ
ଚାହିଁ କେ ନୋହିବ ଭାବେ ଆବେଶ । ୫ ।
ତାଳୁରୁ ତଳିପା ସରିକି ରାମା
ତୁଚ୍ଛ ହେବେ ପରା ସର୍ବ ଉପମା । ୬ ।
ଗୌର ଦ୍ୱିଜ ବୋଲେ ସମ ହେତୁରେ
ଖୋଜିଲେ ନ ଥିବ ଚଉଦ ପୁରେ । ୭ ।