Syama Tribhangi Chhai Lo

ଶ୍ୟାମ ତ୍ରିଭଙ୍ଗୀ ଛଇ ଲୋ
(Gouracharana— Raga Khanda Kamodi, Tala Athatali)
(ଗୌରଚରଣ— ରାଗ ଖଣ୍ଡକାମୋଦୀ, ତାଳ ଆଠତାଳି)

ଶ୍ୟାମ ତ୍ରିଭଙ୍ଗୀ ଛଇ ଲୋ ସଜନୀ
ବାମନୟନୀଙ୍କି କରଇ ବାଇ ଲୋ । ଘୋଷା ।
କଳା ଭାଲେ ଦଳାକସ୍ତୁରୀ ଚିତା
ବଳାନୁଜଙ୍କୁ ସେ କେଡ଼େ ଶୋଭିତା ଲୋ । ୧ ।
ଶିଖୀପୁଚ୍ଛ ଗୁଚ୍ଛ ସେ ବାଙ୍କ ଚୂଳେ
ଖଞ୍ଜିଛି କେ ରଙ୍ଗେ ମାଳବକୁଳେ ଲୋ । ୨ ।
କର୍ଣ୍ଣେ ଗନ୍ଧଫଳି କଳୀର ପ୍ରଭା
ଦେଖି ନ ଭୁଲିବ କେଉଁ ବଲ୍ଲଭା ଲୋ । ୩ ।
ହଳିପ୍ରିୟମାଳୀ ଜାନୁକୁ ବଳି
ଦୋଳି କେଳି କରେ ଅନା କି ଭଳି ଲୋ । ୪ ।
କରେ ଧରେ ଯେଉଁ ମୋହନ ବଂଶୀ
କେ ବର୍ତ୍ତିବ ଦେଲେ ଅଧରେ ଦଂଶି ଲୋ । ୫ ।
କୁହୁକ ହୁନ୍ଦର ଭେଳିକିଲଗା
କଳିନ୍ଦଜା କୂଳ ସରଣୀ ଜଗା ଲୋ । ୬ ।
ଭୂଦେବ ଗଉରଚରଣ ଭାଷି
ଯେ ହେଉ ସେ ହେଉ ହେବି ତା ଦାସୀ ଲୋ । ୭ ।