Ana Lo Sahi Kanhai

ଅନା ଲୋ ସହି କହ୍ନାଇ
(Gouracharana— Raga Khambaja, Tala Pahapata)
(ଗୌରଚରଣ— ରାଗ ଖମ୍ବାଜ, ତାଳ ପହପଟ)

ଅନା ଲୋ ସହି କହ୍ନାଇ ଠିଆ ଠାଣକି
ସରି କେ ହୋଇବ ତିନି ଭୁବନେ ବଂଶୀପାଣିକି । ଘୋଷା ।

ତା ଯେଉଁ ତ୍ରିଭଙ୍ଗୀ ଛଇ ବିଲୋକିଲେ ଆଖିଆଇ
ଏ ଗୋପରେ କେଉଁ ଗୋଈ ରଖିପାରିବ ଆଣିକି । ୧ ।

ବୃନ୍ଦାବନ କଳାକର ନଟନାଗର ଶେଖର
ଭାଙ୍ଗିଦେବ ସତୀଙ୍କର ବରତ ଥାଅ ଜାଣିକି । ୨ ।

ମାର ମୋହନ ମୂରତି ଚାହିଁ କେ ପତିବରତୀ
ନ ଇଚ୍ଛିବ ଅବା ପ୍ରୀତି ବଳେ ଭାଷିଣ ବାଣୀକି । ୩ ।

ରସେ ଗୌର ଦ୍ୱିଜ କହି ମିଛ ନୁହେ ଆଲୋ ସହି
କେ ଶୁଣିବ ଧୈର୍ଯ୍ୟ ବହି ତା ଢମାଳି କାହାଣୀକି । ୪ ।