(ବନମାଳୀ— ରାଗ ମଧୁଶ୍ରୀ, ତାଳ ଝୁଲା)
ଶ୍ୟାମ ରୀତି ଜାଣୁ ନାହିଁ କି
ଏକା ନୀର ଘାଟେ ଗଲୁ କାହିଁକି । ଘୋଷା ।
ସେ ହଟିଆ ନବରଙ୍ଗିଆ
ଆଖିଠରା ଭୂରୁଭଙ୍ଗିଆ
ନିପଟ ଚିକ୍କଣ ଶ୍ୟାମଳ ଅଙ୍ଗିଆ
ଆଡ଼କୁ ଉଆଡ଼େ ଦେଲୁ ଚାହିଁକି । ୧ ।
ତାର ଯେଉଁ ମୋହନ ବେଶ
ସତୀ ଦମ୍ଭ କରେ ନିଃଶେଷ
ସେ କୁଞ୍ଜଦେବତା ତୋ ହୃଦେ ଆବେଶ
ହୋଇ ପକାଇଛି ମଦନେ ଝାଙ୍କି । ୨ ।
ତା ପାଲରୁ କେଉଁ ଚତୁରୀ
କି କରି ଆସିବ ଉତୁରି
ଫିଙ୍ଗଇ କୁହୁକ ଧୂଳିକି ମନ୍ତୁରି
ଦେଖନ୍ତେ ସୁନ୍ଦରୀ ଚନ୍ଦ୍ରମୁହୀଙ୍କି । ୩ ।
ବୋଲେ ବନମାଳୀ ନବୀନା
ବଳେ ଚିହ୍ନା ପଡ଼ିଲୁ ସିନା
ତୁ ତ କୁଳପାଳି ନ ପାରିଲୁ ଭାଳି
ଚାଳିଲୁ ପହଣ୍ଡ ଏକା ନଈକି । ୪ ।