Sri Radha Sangare Sri Hari Rangare

ଶ୍ରୀ ରାଧା ସଙ୍ଗରେ ଶ୍ରୀ ହରି ରଙ୍ଗରେ
(Banamali— Raga Kaphi, Tala Khemata)
(ବନମାଳୀ— ରାଗ କାଫି, ତାଳ ଖେମଟା)

ଶ୍ରୀ ରାଧା ସଙ୍ଗରେ ଶ୍ରୀ ହରି ରଙ୍ଗରେ
ହୋରି ଖେଳିଲେ ସୁଧାରେ । ଘୋଷା ।

ଶ୍ରୀ ପଦ ଗାନ କରେ କେ ତହିଁ ବସନ୍ତ ରାଗରେ
ମନ୍ଦ୍ର ମଧ୍ୟ ସୁତାନରେ
ତାତା ଥେଇ ଥେଇ ମୃଦଙ୍ଗ ବାଜଇ
ମନ୍ଦ୍ର ମଧ୍ୟ ଦ୍ରୁତ ମାନରେ । ୧ ।

ସଙ୍ଗିନୀ ରଙ୍ଗିନୀ ପୁରତେ ରହି ରହି
ତୁଙ୍ଗବିଦ୍ୟା ନାନା ବାଦ୍ୟେ
ମୋହିତ କରିବାରେ ଇନ୍ଦୁଲେଖା ମୁଖ
ଇନ୍ଦୁ ଢାଳି ନାଚେ ମଧ୍ୟେ । ୨ ।

ଦ୍ୱନ୍ଦ ଦ୍ୱନ୍ଦ ବୃନ୍ଦ ବୃନ୍ଦ ସୁନ୍ଦରୀ
ନନ୍ଦଲାଲଙ୍କୁ
ଚୂଆ ଚନ୍ଦନ ଅତର ପନୀର
ଅବିର ସଙ୍ଗେ ଗୁଲାଲକୁ । ୩ ।

କେ ଢାଳେ ବଳେ କେ ଛକେ କୁତୂହଳେ
ମୋହନ ମୁରଲୀ ଛଡ଼ାଇ
ଚଞ୍ଚଳେ ଅଞ୍ଚଳ ଧରି କହେ ବନମାଳୀ
କାହାକୁ ଧରନ୍ତି ଗୋଡ଼ାଇ । ୪ ।