Sri Radhe Mora Daini Ete

ଶ୍ରୀ ରାଧେ ମୋର ଦଇନୀ ଏତେ
(Banamali— Raga Jhinjoti, Tala Jhula)
(ବନମାଳୀ— ରାଗ ଝିଞ୍ଜୋଟି, ତାଳ ଝୁଲା)

ଶ୍ରୀ ରାଧେ ମୋର ଦଇନୀ ଏତେ
ସେବା ପରିଚାରୀ ହେବି ଦେହାନ୍ତେ । ଘୋଷା ।
କରୁଣାମୟୀ ଗୋ ଅରୁଣାଧରୀ
ମଣିବ ସଖୀଙ୍କ କିଙ୍କରୀ କରି । ୧ ।
କୁଞ୍ଜ ଅଭିସାରେ ଥିବି ଗହଣେ
ନ ହୋଇବି ଛାମୁଛଡ଼ା ମୁଁ କ୍ଷଣେ । ୨ ।
ପହଣ୍ଡମଣା ନଉକରୀ ପଣେ
ଆଳିଗଣେ ମୋତେ ଗଣିବ ଜଣେ । ୩ ।
ରବି ପୂଜା କାଳେ ଘେନିବ ସଙ୍ଗେ
ଅଙ୍ଗରାଗ ଲେପିବାକୁ ଶ୍ରୀଅଙ୍ଗେ । ୪ ।
ରଚିବା ପାଇଁକି ବେଶ ବିଧାନ
ମୋ ପ୍ରତି ହେବ ଦିବ୍ୟ ଅବଧାନ । ୫ ।
ନିଭୃତ ନିକୁଞ୍ଜେ ଯୁଗଳ ଠାଣି
ଦରଶନେ ହେବି ମନ ଫୁଲାଣି । ୬ ।
କାକୁସ୍ଥେ କହେ ବନମାଳୀ ଦାସ
ଏ ଦିନୁ ନାହିଁ ଆନ ଅଭିଳାଷ । ୭ ।