(ବନମାଳୀ— ରାଗ ତୋଡ଼ି, ତାଳ ଝୁଲା)
ସଖୀରେ ତାଙ୍କୁ ଦେଖିଲି ଡୋଳେ
ବିଜେ କରିଥିଲେ କଦମ୍ବ ମୂଳେ । ଘୋଷା ।
ସେ ରୂପକୁ ଧାତା ଗଢ଼ିଲା ବେଳେ
କର କିପରି ରହିଲା ନିଶ୍ଚଳେ । ୧ ।
ଗୋରଚନା ଚିତା ଶୋହେ କପୋଳେ
ରାହୁ ବାନ୍ଧିଛି କି ଚନ୍ଦ୍ରମଣ୍ଡଳେ । ୨ ।
କର୍ଣ୍ଣରେ ମକର କୁଣ୍ଡଳ ଲୁଳେ
ନବଘନ କୋଳେ ଚପଳା ଖେଳେ । ୩ ।
ବନମାଳୀ ମନ ରହି ନିଶ୍ଚଳେ
ଦିନେ ନ ମଜ୍ଜିଲା ପାଦ କମଳେ । ୪ ।