Nikunje Murali Bajuchi

ନିକୁଞ୍ଜେ ମୁରଲୀ ବାଜୁଛି
(Banamali— Raga Kalyana, Tala Ekatali)
(ବନମାଳୀ— ରାଗ କଲ୍ୟାଣ, ତାଳ ଏକତାଳି)

ନିକୁଞ୍ଜେ ମୁରଲୀ ବାଜୁଛି
ସଞ୍ଜ ସମୟରୁ ଶୁଭୁଅଛି । ଘୋଷା ।

ରଜନୀ ସଜନୀ ବଳି ପଡ଼ୁଅଛି
କର କର ଅଭିସାର
ହେଜ ଶ୍ୟାମ ବ୍ରଜ ଯୁବରାଜ ଆଜ
ରାଧେ ତୋ ନାମ ଜପୁଛି । ୧ ।

ବ୍ୟାଜ ମନେ ନାହିଁ ଦ୍ୱିଜରାଜ ମୁହୀଁ
କାର୍ଯ୍ୟ ନିକଟେ ରହିଛି
ହାଜର ମୁଁ ତୋର ସେବାରେ ନିକର
ବୋଲି ଏତେ ଜଣାଉଛି । ୨ ।

ସଜକଞ୍ଜନେତ୍ରୀ ରାଜନନ୍ଦିନୀ ଗୋ
ସାଜ କଳା ବେଶ ବାଛି
ମଜ୍ଜ ବନ୍ଧୁ ପ୍ରେମେ କେଳି କୁଞ୍ଜଧାମେ
ଧନ ନ ବିଚାର କିଛି । ୩ ।

ଧ୍ୱଜ ବଜ୍ରାଙ୍କୁଶ ଆଦି ଅଷ୍ଟାଦଶ
ଚିହ୍ନ ଯେ ପଦେ ସାଜୁଛି
ସେ ପଦକୁ ଭାଳି ଭାଳି ବନମାଳୀ
ଯୁଗଳ ରସେ ମଜ୍ଜୁଛି । ୪ ।