(ବନମାଳୀ— ରାଗ ଶୋକ କାମୋଦୀ, ତାଳ ଏକତାଳି)
ପ୍ରୀତି କଲେ କରୁଥିବ ବାଛି ବାଛି ଗୋ ପ୍ରିୟସଖୀ । ଘୋଷା ।
ଚୂନ ହଳଦୀ ମିଶିଲା ପରି
ବେନି ପ୍ରୀତି ନୋହୁଥିବ ବାରି
ଏବେ କି ପ୍ରୀତିରୁ ଆନ ବଞ୍ଚିବାରୁ
ମରିଯିବା ସଖୀ ମାଧୁରୀ ଗୋ । ୧ ।
କ୍ଷଣକେ ହସା କ୍ଷଣକେ ରୁଷା
କ୍ଷଣେ ନିନ୍ଦା କ୍ଷଣେ ପରଶଂସା
ଏମନ୍ତ ପ୍ରୀତିଆ ସଙ୍ଗେ ପ୍ରୀତି କଲେ
ଜୀବ ଥାଉଁ ହୁଏ ଲୋକହସା ଗୋ । ୨ ।
ସେ ପୁଣି ତାହାକୁ ଝୁରୁଥିବ
ଦଣ୍ଡେ ନ ଦେଖିଲେ ମରୁଥିବ
ପୁଣି ସେ ତାହାଙ୍କୁ ଦାଣ୍ଡରେ ଦେଖିଲେ
ଆନ ବାଟେ ମୁଖ ପୋତିଯିବ ଗୋ । ୩ ।
ଗୋଟି ଜନ୍ମ ଥିଲେ କୋଟି ଜାଗ
ମିଳୁଥାଇ ସମ ଅନୁରାଗ
ବୋଲେ ବନମାଳୀ ଏହି ପ୍ରୀତି ପାଳି
ଆଣି କଲାଣି ଅନଙ୍ଗ ଯୋଗ ଗୋ । ୪ ।