(ବନମାଳୀ— ରାଗ ତୋଡ଼ି, ତାଳ ଆଠତାଳି)
ଭାଳି ଭାଳି ଦିନ ସରିବ ନାହିଁ ଗୋ
କିଶୋରୀ ଶ୍ୟାମେ ହେଲୁ ଅସ୍ନେହୀ ଗୋ । ଘୋଷା ।
ଜାଣୁ ମଣି ହୋଇ ନ ପାରୁ ଜାଣି
ଆଣୁ ନାହୁଁ ଚିତ୍ତେ ସଖୀଙ୍କ ବାଣୀ ଗୋ । ୧ ।
ହାତ ଓଠ ଧରି କହିଲି ଯେତେ
ତା ତ ନ ବୁଝିଲୁ କା ଦୋଷ କେତେ ଗୋ । ୨ ।
ଗଣ୍ଡେ ମଣ୍ଡି ବାମ କରପଲ୍ଲବ
ଦଣ୍ଡେ ନ ହେଜିଲୁ ନିଜ ସୁଲଭ ଗୋ । ୩ ।
ବନମାଳୀ ବୋଲେ ଏତେ ମାତର
ମନମୋହନଙ୍କୁ ନ କର ପର ଗୋ । ୪ ।