(ବନମାଳୀ— ରାଗ ଭୂପାଳ, ତାଳ ଏକତାଳି)
ଆହା ଶଶୀବଦନା ଏ ମୋ ନାଶିବ
ଅଶିବ ଅଶ୍ରୁ ନ ବରଷିବ
ଦିଶିବ ସବୁ ଶିରୀ ବସି ତୋ ଗୁଣ ସ୍ମରି
ଶିଶିରେ ପଦ୍ମ ପରି ନାଶିବ । ଘୋଷା ।
ହସି ବଚନ କେବେ ଭାଷିବ
ଅସିତକେଶୀ ଦୁଃଖ ନାଶିବ
ରୁଷି ବସନା ସହି ଭାସିଲେ ଥରେ ମୁହିଁ
ଆସି ବିବେକ ତାପ ଧ୍ୱଂସିବ । ୧ ।
ପୋଷିଲା ଜନ ଯେବେ ନାଶିବ
ଋଷିମୋହିନୀ ନିନ୍ଦା ଦିଶିବ
ମିଶି ମୋ ଅଙ୍କେ ଆସି ହସି ଅଳ୍ପେ ନ ଭାଷି
ବସିଲେ ମାର ଅହି ଦଂଶିବ । ୨ ।
ରସି ସୁରତେ ଯେବେ ରସିବ
କଷିଲା ସ୍ମରକାଣ୍ଡ ଖସିବ
ପେଷି ହୋଇଲି ଏଣୀଦୃଶୀ ମୋ କଣ୍ଠ ଶ୍ରେଣୀ
ପଶି କି କାମଭୂତ ଗ୍ରାସିବ । ୩ ।
ଦୋଷୀ ହୋଇଲ ଏହା ଭାଷିବ
ଭୂଷି କରଜେ ଅଙ୍ଗ ଚଷିବ
ତୃଷିତ ମୁହିଁ ଚିର ନିଶି ଦିବସେ ଦର
ହାସୀ ବନମାଳୀକି ତୋଷିବ । ୪ ।