(ବନମାଳୀ— ରାଗ ଭୂପାଳ, ତାଳ ଆଠତାଳି)
ସରିଯିବ ସୁଖ ଏଣିକି ଗୋ ରାଧେ
ଦରିଦ୍ରନିଧି ଘେନ ବାଣୀକି ଗୋ
ନାରୀ କୁଳେ କେହି ବର୍ତ୍ତିବ ନ ଚାହିଁ
ସେ ଶ୍ୟାମସୁନ୍ଦର ଠାଣିକି ଗୋ । ଘୋଷା ।
କରୀଗମନା ହରିସୁତ ଶର
ମାରିଲେ ବେଳକୁ କି ଗତି ତୋର
ଘାରିହେବାର ତ ହୋଇବ ନିରତ
ଝୁରି ଝୁରି ବଂଶୀପାଣିକି ଗୋ । ୧ ।
ବାସ ପ୍ରସାରି ଦୋଷ ମାଗିବାର
ବେଳେ କରିବା ନିରାଶ ବିଚାର
ହେଲା କି ମାତର ମଣିଲୁ ଇତର
ପରାୟେ ତୋ ଚିନ୍ତାମଣିକି ଗୋ । ୨ ।
ପାଣି ଧରି ଜଣାଉଛି ତୋ ହିତ
ଜାଣି ଜାଣି ମଣି ମଣୁ ଅହିତ
ଛାଣି ସୁଧା ଆଣି ଶ୍ରୀକରେ ଧରି ଯା
ପାଣିକି ଫିଙ୍ଗିଲୁ ପୁଣି କି ଗୋ । ୩ ।
ପଡ଼ିଲେ ତା ଗୁଣ ମନରେ ଥରେ
ଘାରିହୁଏ ହୃଦ ମନମଥରେ
ବୋଲେ ବନମାଳୀ ଏ ରସରେ ଭାଳି
ପାଇବୁ କି ଗୁଣମଣିକି ଗୋ । ୪ ।