Ghana Kalia Re Se Mo Jiba Jibana

ଘନ କାଳିଆରେ ସେ ମୋ ଜୀବଜୀବନ
(Banamali— Raga Lalita Kedara, Tala Ekatali)
(ବନମାଳୀ— ରାଗ ଲଳିତ କେଦାର, ତାଳ ଏକତାଳି)

ଘନ କାଳିଆରେ ସେ ମୋ ଜୀବଜୀବନ
ମିତଣୀ ମୋ ବିତ୍ତ ସବୁ ପୀତ ଦୁକୂଳିଆ । ଘୋଷା ।

ଗଲେ ଏ ପରାଣ ଯାଉ ନ ତେଜିବି ତାଙ୍କୁ ଆଉ
ନାଚିଲେ ନେତ୍ରେ ସର୍ବଦା କାଳିନ୍ଦୀକୂଳିଆ । ୧ ।

ଲାଗୁ କୁଳରେ କଳଙ୍କ ଜୀବିକା ମୋ ପଦ୍ମମୁଖ
ଦୁଃଖପାଶୋରା ମନ୍ତର ଶିଖଣ୍ଡଚୂଳିଆ । ୨ ।

ବିନାଶି ବାସ ଆଦର ମନାସୁଛି ସଙ୍ଗ ତାର
ନୟନ ପିତ୍ତୁଳା ରଙ୍ଗ କାଇଞ୍ଚମାଳିଆ । ୩ ।

ହେଜି କହିଲେ ଏଣିକି ସଜନୀ ଛଳ ବାଣୀକି
ତେଜିବି କି ସତେ ମନୁ ନନ୍ଦ ଦୁଲାଳିଆ । ୪ ।

ଶ୍ରୀମତୀ ଏସନ ବାଣୀ ପ୍ରିୟସଖୀ ଆଗେ ଭଣି
କହେ ବନମାଳୀ ଚିନ୍ତି ବରଜଧୂଳିଆ । ୫ ।