Dekhile Kanhu Manu Na Jiba Go

ଦେଖିଲେ କାହ୍ନୁ ମନୁ ନ ଯିବ ଗୋ
(Banamali— Raga Kumbha Kamodi, Tala Ekatali)
(ବନମାଳୀ— ରାଗ କୁମ୍ଭକାମୋଦୀ, ତାଳ ଏକତାଳି)

ଦେଖିଲେ କାହ୍ନୁ ମନୁ ନ ଯିବ ଗୋ
ସତୀବରତ ଧୃତି ଭାଜିବ ଗୋ । ଘୋଷା ।

ନବ ନୀରଜ ନେତ୍ର ତମାଳ ପତ୍ର ଗାତ୍ର
କାମଭରରେ ତନୁ ରାଜିବ ଗୋ । ୧ ।

ଦିନେ ଦେଖିଲି ଡୋଳେ କେଳି କଦମ୍ବ ମୂଳେ
ଆନନକୁ ଲକ୍ଷ୍ୟ କି ରାଜୀବ ଗୋ । ୨ ।

ଦେଖିଲେ ତାଙ୍କ ନୃତ୍ୟ ନ ଛାଡ଼ିବ ତ ଚିତ୍ତ
ଭୁଲି ତା ଠାରେ କେ ନ ମଜ୍ଜିବ ଗୋ । ୩ ।

ଦିନେ ସେ କୁଞ୍ଜବନ ଦେଖି ହେଲି ଅଜ୍ଞାନ
ସେଦିନୁ ହୋଇଅଛି ତାଜିବ ଗୋ । ୪ ।

ବୋଲଇ ବନମାଳୀ ଶ୍ୟାମବନ୍ଧୁଙ୍କୁ ଭାଳି
ସତେ ପିଣ୍ଡ ତେଜିବ ଏ ଜୀବ ଗୋ । ୫ ।