Bhaja Re Mana Kama Mohana

ଭଜରେ ମନ କାମମୋହନ
(Banamali— Raga Sri, Tala Rupaka)
(ବନମାଳୀ— ରାଗ ଶ୍ରୀ, ତାଳ ରୂପକ)

ଭଜରେ ମନ କାମମୋହନ
ଶ୍ୟାମସୁନ୍ଦର ନାମକୁ
ସଜବାଜ ହୋଇ ଲାଜ ଦୂରେ ଥୋଇ
ଚଳି ଯା ତୁ ବ୍ରଜଧାମକୁ । ଘୋଷା ।

ରଜନୀ ଦିବସେ ଏକାନ୍ତେ ବସି
ମଜ କୃଷ୍ଣ କଥାମୃତରେ ରସି
ସଜ କଞ୍ଜ ନେତ୍ର ଦର୍ଶନେ ପବିତ୍ର
ହୁଅ ପ୍ରତିଯାମ ଯାମକୁ । ୧ ।

ଅଜ ଶିବ ଶେଷ ବନ୍ଦେ ଯେ ପାଦେ
ଗଜଧ୍ୱଜ ଆଦି ତ୍ରିଦଶ ବୃନ୍ଦେ
ନଜର କର ତୁ କଜ୍ଜ୍ୱଳ କାଳିଆ
ଉଜ୍ଜ୍ୱଳ ମୂରତି କାମକୁ । ୨ ।

ଅଜଣା ଅଛି କି ଶ୍ରୀଗୁରୁ ବାଣୀ
ସଜଳ ନୟନେ ହୁଅ ତୁ ଗୁଣି
ସୁଜନମାନଙ୍କୁ ପୂଜ ଭକତିରେ
ବୁଝ ଧରମ ନିଷ୍କାମକୁ । ୩ ।

ଏ ଜନମ ବୃଥା ନ ଯାଉ ତୋର
ତେଜ ମୋହ ମାୟା ବିଷୟା ଘୋର
ହେଜ ବନମାଳୀ ବ୍ୟାଜରେ ନ ଭାଳି
ନ ଯା ତପନଜ ଗ୍ରାମକୁ । ୪ ।