(ବନମାଳୀ— ରାଗ କାମୋଦୀ, ତାଳ ଏକତାଳି)
ମୋହନରେ ରସି ବଡ଼ ଦ୍ୱନ୍ଦ୍ୱେ ପଡ଼ିଲୁ । ଘୋଷା ।
କଥା ଘେନିଲୁ ନାହିଁ ଯଥା ବାଳକ ସହି
ବ୍ୟଥାରେ ହେଲୁ ଦହି । ୧ ।
ଜାଣି ଶଠ ପୀରତି ଆଣି ରୋଇଲୁ ଛାତି
ହାଣିଲା ସେ ବିପତ୍ତି । ୨ ।
ନୀତି ବଚନ ଯେତେ ନିତି କହୁଛି ତୋତେ
ଚିନ୍ତିଲୁ ତା ଅହିତେ । ୩ ।
ପରାପର ବିଚାର ଧରାରେ ଯେହୁ ଯାର
ସରାୟେ ସେ ବେଭାର । ୪ ।
ଭୂରୁ ଯୁଗ ନଚାଉ ଦୂରୁ ଆମ୍ଭଙ୍କୁ ଚାହୁଁ
ଭୀରୁ କି ହେବ ଆଉ । ୫ ।
ବନମାଳୀ କହଇ ଜନମେ ପ୍ରୀତି ଯହିଁ
ଧନ ତାହାର ଏହି । ୬ ।