(ବନମାଳୀ— ରାଗ ଚକ୍ରକେଳି, ତାଳ ଝୁଲା)
ଯେଉଁ ଦିନୁ ଦେଖିଲି ନନ୍ଦକିଶୋର
ସବୁ ବିଷୟ ଗଲା ମୋର ପାଶୋର ସଖୀରେ । ଘୋଷା ।
କୁଳବତୀ କଳଙ୍କ ଆଣି ଗୋପରେ
ରଖାଇ ବିହି ହସାଇଲା ଗୋପରେ । ୧ ।
ରଖାଉ ନାହିଁ ଗୁରୁ କୁଳରେ ଲାଜ
ଲଖାଉଅଛି ହୃଦେ ଫୁଲ ନାରାଜ । ୨ ।
ଉପାୟ ହୋଇ ଆଉ ନ ଦିଶେ ସତ
ଯେଉଁ ଦିନୁ ମୋ ଚିତ୍ତେ ହେଲି ଆସକ୍ତ । ୩ ।
ହସନ୍ତୁ ସାଧୁ ମୋତେ ନିନ୍ଦନ୍ତୁ ବନ୍ଧୁ
ତେଜି ନ ପାରିବି ମୁଁ ଗୋକୁଳ ଇନ୍ଦୁ । ୪ ।
ବନମାଳୀ କହଇ ଗୋପୀଙ୍କ ପ୍ରୀତି
ଜାଣି ପାରି ନାହାନ୍ତି ଆଜ ହିଁ ଶ୍ରୁତି । ୫ ।