(କବିଚନ୍ଦ୍ର କାଳୀଚରଣ— ରାଗ ବସନ୍ତ, ତାଳ ଏକତାଳି)
ସଜନୀରେ ଆଉ ନ ଯା ପାଣିକି
ଦୂରୁ ଜୁହାର ସେ ଶଠ ଶେଖର
ନିପଟ କପଟ ବେଣୁପାଣିକି । ଘୋଷା ।
ନିରୋଳା ଭେଟିଲେ ଚାହିଁ ରହେ ଖାଲି
ଆଖିରେ ତାର ଗୋ ମତି ଯାଏ ଭୁଲି
ଚାରି ଆଖି ଯେବେ ଯାଏ ମିଳି ସଖି
ଲାଜ ମହତ ସେ ନିଏ ଟାଣିକି । ୧ ।
ସଞ୍ଜ ବେଳେ କୁଞ୍ଜ କାନନ ପାଶରେ
ଚାହିଁଥାଏ ସଖୀ ତାହାରି ଆଶାରେ
ଲୁଚି ଲୁଚି ପଛୁ ଛଇଳ ନାଗର
ଚମକେ ମୁଁ ସଖୀ ଟାଣେ କାନିକି । ୨ ।
ସଜଳ ଆଖିଟି କେତେ କଥା କହେ
ମନ ରାଗ ମୋର ମନେ ମନେ ରହେ
କଥା ନ କହି ମୋ ଗତି ନ ଥାଏ
କେତେ ଏଡ଼ିବି ସେ ଚାଟୁ ବାଣୀକି । ୩ ।
ଲିଭି ଲିଭି ଆସେ ଦିନର ଆଲୁଅ
ଝରି ଝରି ପଡ଼େ ଟୋପି ଟୋପି ଲୁହ
ଶରମେ ଶରମେ ଫେରେଁ ଲୋ ଘରକୁ
ସପନରେ ଦେଖେ ସେହି ଠାଣିକି । ୪ ।