(କବିଚନ୍ଦ୍ର କାଳୀଚରଣ— ରାଗ କୀରବାଣୀ, ତାଳ ଏକତାଳି)
ମନା ନ ମାନିଲେ ମୋର
ଏଡ଼ିକି ଛଇଳ ସତେ ହେଲେ ମନଚୋର । ଘୋଷା ।
ପହୁଡ଼ିଥିଲି ରେ ସଖି ବକୁଳ ବିତାନେ
ଅଜାଣତେ ବାସ ମୋର ଥିଲା ଅଯତନେ
ହସୁଥିଲେ ଚାହିଁ ପରା ନବୀନ କିଶୋର । ୧ ।
ଗୁରୁଜନ ପାଶେ ଥିଲେ ମାରି ଆଖିଠାର
ପରିହାସ କରି ହସାଇବେ ବାରମ୍ବାର
ଛଟକି ନୟନେ ସତେ ଦୂରୁ ମୋ ଜୁହାର । ୨ ।
ଗଣ୍ଡରେ ଚୁମ୍ବନ ଦେବେ କଲେ ନାହିଁ ନାହିଁ
ଦେଖ ଲୋ ସଜନୀ ଛାଇ ଏବେ ଲିଭି ନାହିଁ
ତୋତେ ସିନା କହିଲି ମୁଁ ନୋହୁ ବୋଲି ପର । ୩ ।
ଏ କି ଲାଜ କଥା ସଖି କହିବୁ ବନ୍ଧୁରେ
ବୁଡ଼ାଇବେ ନାହିଁ ମୋତେ ଶରମ ସିନ୍ଧୁରେ
ଫେରି ମାଗୁଥିଲେ ଆଜି ଚୁମ୍ବ ଉପହାର । ୪ ।
କବିଚନ୍ଦ୍ର କହେ ସଖୀ ଟାଣ କର ଛାତି
ରସିକା ମଣ୍ଡଳେ ଦିନେ ଟେକାଇବୁ ଛତି
ବାରିବୁ ରେ ସତ ମିଛ ଅନୁଭବେ ତୋର । ୫ ।